November 1, 2024

ଭୁବନେଶ୍ୱର,୩।୨ (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-  ଆଜି ଆରମ୍ଭ ହେଲା ଓଡିଆ ଭାଷାର ମହାକୁମ୍ଭ । ଓଡିଆ ଭାଷାର ମହୋତ୍ସବ। ଓଡିଆ ଭାଷାର ଉଲ୍ଲାସର ପର୍ବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭୁବନେଶ୍ବର ଜନତା ମଇଦାନଠାରେ ଏକ ବର୍ଣ୍ଣାଢ୍ୟ ପରିବେଶରେ ପ୍ରଥମ ବିଶ୍ବ ଓଡିଆ ଭାଷା ସମ୍ମିଳନୀ ଉଦ୍‌ଘାଟନ କରିଛନ୍ତି। ସମ୍ମିଳନୀରେ ଓ ସାରା ରାଜ୍ୟରେ ଏବଂ ଦେଶ ବିଦେଶରେ ଥିବା ସବୁ ଓଡିଆ ଆଜି ଏକ ସମୟରେ ବନ୍ଦେ ଉତ୍କଳ ଜନନୀ ଗାନ କରି ଓଡିଆ ଭାଷାର ଏହି ମହୋତ୍ସବରେ ସାମିଲ ହୋଇଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ଯେ ଏହି ସମ୍ମିଳନୀରେ ଯାହା ପ୍ରସ୍ତାବ ଆସିବ, ରାଜ୍ୟ ସରକାର ତାକୁ ଗ୍ରହଣ କରି ଏକ ସ୍ବତନ୍ତ୍ର ଭାଷା ନୀତି ପ୍ରସ୍ତୁତ କରିବେ । ଓଡିଆ ଜାତିର ଭବିଷ୍ୟତ ବିକାଶ ରାସ୍ତାକୁ ଏହା ପ୍ରଶସ୍ତ କରିବ ବୋଲି ମତଦେଇ ଓଡିଆ ଜାତିର ଓ ଓଡିଆ ଭାଷାର ଭବିଷ୍ୟତ ଉଜ୍ଜଳ ବୋଲି ମୁଖ୍ୟମନ୍ତ୍ରୀ ଦୃଢ ବିଶ୍ବାସ ପ୍ରକଟ କରିଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନୂଆ ସଂସ୍କୃତି ଓ ବୈଷୟିକ ଜ୍ଞାନର ପ୍ରଭାବ ଭାଷା ଉପରେ ରହୁଛି। ତେଣୁ ଭାଷାର ସବୁ ଦିଗ ଉପରେ ଆଲୋଚନା ହେଉ। ଭଳ ସାହିତ୍ୟ ସୃଷ୍ଟି ଉପରେ ଓ ଓଡିଆ ଭାଷାର ଅଧିକ ବ୍ୟବହାର ଉପରେ ଆଲୋଚନା ହେଉ ବୋଲି ସେ ମତ ଦେଇଥିଲେ । ଶ୍ରୀ ପଟ୍ଟନାୟକ କହିଥିଲେ ଯେ ଏହି ସମ୍ମିଳନୀରେ ଆମେ ଆମ ଭାଷାର ଇତିହାସ ଜାଣିବା । ବର୍ତ୍ତମାନକୁ ଦେଖିବା ଓ ଭବିଷ୍ୟତ ପାଇଁ ରାସ୍ତା ତିଆରି କରିବା। ଓଡିଶା ଭାଷା ଏକ ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଥିବା ଆନନ୍ଦ ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ଭାଷା ହିଁ ଭବିଷ୍ୟତ । ଓଡିଆ ଭାଷାର ଉନ୍ନତି ପାଇଁ ଓଡିଆ ବିଶ୍ବବିଦ୍ୟାଳୟ ଖୋଲାଯାଇଛି । ଓଡିଆ ଭାଷାର ପ୍ରଚାର ପ୍ରସାର ପାଇଁ ଅନେକ ପଦକ୍ଷେପ ନିଆଯାଇଛି। ଓଡିଆ ଭାଷା ଶିକ୍ଷାକୁ ଉତ୍ସାହିତ କରାଯାଇଛି। ଅକ୍ଷର ଭୂମି, ଏ ସମ୍ମିଳନୀର ସ୍ମାରକୀ ଭାବେ ଓଡିଆ ଭାଷାର ଜୟଗାନ କରୁଛି । ଏହି ଅବସରରେ ଆଦିକବି ସାରଳା ଦାସଙ୍କୁ ପ୍ରଣାମ ଜଣାଇବା ସହିତ ଓଡିଆ ଭାଷାର ଗୌରବ ବୃଦ୍ଧି କରିଥିବା ସବୁ ଲେଖକ, ସାହିତ୍ୟିକ ଓ କବି ମାନଙ୍କୁ ମୁଖ୍ୟମନ୍ତ୍ରୀ ତାଙ୍କର ସମ୍ମାନ ଜଣାଇ ଭାଷା ସମ୍ମିଳନୀକୁ ସମସ୍ତଙ୍କୁ ସ୍ବାଗତ କରିଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଆଜି ଆମେ ସମସ୍ତେ ଗୋଟିଏ ମଞ୍ଚରେ ଓଡିଆ ଭାଷା ପାଇଁ ଏକାଠି ହୋଇଛୁ । ଦେଶ ବିଦେଶରେ ଥିବା ଓଡିଆ ମାନେ ମଧ୍ୟ ଏଥିରେ ଯୋଡି ହୋଇଛନ୍ତି । ବିଶିଷ୍ଟ ଲେଖକ ଓ ଗବେଷକମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ଓଡିଆ ଭାଷା ଓ ସାହିତ୍ୟ ପାଇଁ ଏହା ଏକ ଗୌରବର ସମୟ ବୋଲି ସେ କହିଥିଲେ। ଆମେ ସମସ୍ତେ ଓଡିଆ । ଓଡିଆ ଆମ ଭାଷା ଓ ଆମ ପରିଚୟ ବୋଲି ମତ ପ୍ରକାଶ କରି ସେ କହିଲେ ଯେ ଭାଷା ଗୋଟିଏ ଜାତିର ମୁକୁଟ। ଏହା ଆମ ସମସ୍ତଙ୍କୁ ଏକତାର ମହାମନ୍ତ୍ର ଦେଇଥାଏ। ପରିଶେଷରେ ମୁଖ୍ୟମନ୍ତ୍ରୀ ଓଡିଆ ଭାଷାର ଉନ୍ନତି ପାଇଁ ସମସ୍ତେ ମିଳିମିଶି କାମ କରିବା ପାଇଁ ଆହ୍ବାନ ଜଣାଇଥିଲେ।

Leave a Reply

Your email address will not be published. Required fields are marked *