ଭୁବନେଶ୍ୱର,୯।୬ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ବିଜେଡିର ଶୋଚନୀୟ ପରାଜୟ ପରେ ଆଜି ଏକ ଭିଡିଓ ଜାରି କରି ରାଜନୀତିରୁ ଅବସର ଘୋଷଣା କରିଛନ୍ତି କାତ୍ତିକ। ରାଜନୀତି ଛାଡି ସହ ଦଳୀୟ କର୍ମୀଙ୍କ ନିକଟରେ କ୍ଷମା ପ୍ରାର୍ଥନା କରିଛନ୍ତି। ଏହାସହ ନିର୍ବାଚନ ପୂର୍ବରୁ କହିଥିବା କଥା ଶେଷରେ ପୂରଣ କରିଛନ୍ତି। ନିର୍ବାଚନ ପ୍ରଚାର ସମୟରେ ଏକ ସଭାରେ ପାଣ୍ଡିଆନ ଘୋଷଣା କରିଥିଲେ, ଯଦି ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ନ ହେବେ ତେବେ ସେ ରାଜନୀତିରୁ ସନ୍ୟାସ ନେବେ। ଆଜି ତାହା ସେ କରି ଦେଖାଯାଉଛି। ତେବେ ରାଜନୀତିରୁ ଅବସର ନେବା ପରେ ଏକ ଟିଭି ଚ୍ୟାନେକୁ ସାକ୍ଷାତକାର ନେଇ ପାଣ୍ଡିଆନ୍ ଅନେକ ଖୁଲାସା କରିଛନ୍ତି।
ରାଜନୀତି ଛାଡିବା ପରେ କ’ଣ କରିବେ ପ୍ରଶ୍ନରେ ସେ କହିଛନ୍ତି, ମୁଁ ଗୋଟିଏ ଦିନରେ ଗୋଟିଏ ବିଷୟରେ ଚିନ୍ତା କରେ, ଭବିଷ୍ୟତ ବିଷୟରେ କିଛି ଭାବେ ନାହିଁ। ମୁଁ ତାମିଲନାଡୁର ଏକ ଛୋଟିଏ ଗାଁରୁ ଆସିଥିଲି। ଅନେକ ସଂଘର୍ଷ ପରେ ସଫଳତା ପାଇଥିଲି। ଏହା ପରେ ମଧ୍ୟ ମୁଁ ମୋ ସ୍ବପ୍ନ ପୂରଣ କରି ପାରିଥିଲି। ମୁଁ ମୋ ଗୁରୁଙ୍କୁ ସହଯୋଗ କରିବା ପାଇଁ ରାଜନୀତିକୁ ଆସିଥିଲି। ଏଥିରୁ ଜାଣିପାରୁଥିବେ ମୁଁ ମୋ ଗୁରୁଙ୍କ ସହ କେତେ ଜଡିତ ଥିଲି। ଏବେ ମୁଁ ପେନ୍ସନ୍ରେ ବଞ୍ଚିବି, ଆଗକୁ ଅନ୍ୟ କିଛି କରିବାକୁ ଚେଷ୍ଟା କରିବି। କିନ୍ତୁ ଏବେ କିଛି ନିଷ୍ପତ୍ତି ନେଇନାହିଁ।
ସେ କହିଛନ୍ତି, ମୁଁ ରାଜନୀତିକୁ କ୍ଷମତା ପାଇଁ ଆସି ନ ଥିଲି। ପ୍ରଚାର ସମୟରେ କିଛି ଲୋକ ରାଜନୈତିକ ଉଦ୍ଦେଶ୍ୟ ରଖି ଏଜେଣ୍ଟା ସୃଷ୍ଟି କରିବାକୁ ଚାହୁଁଥିଲେ। ମୁଁ ମୋ ଗୁରୁ(ନବୀନ ପଟ୍ଟନାୟକ)ଙ୍କୁ ସାହାଯ୍ୟ କରିବାକୁ ରାଜନୀତିରେ ଯୋଗ ଦେଇଥିଲି। ଦଳ କ’ଣ ପାଇଁ ହାରିଲା ତାହାର ସମୀକ୍ଷା ଚାଲିଛି। ପରାଜୟର ବ୍ୟବଧାନ ମାତ୍ର ୩ % ଥିଲା। କିନ୍ତୁ ମୁଁ ମୋର ଉଦ୍ୟମକୁ ନେଇ ଖୁସି ଅଛି। ଶେଷରେ ମୋ ଜନ୍ମସ୍ଥାନ ହିଁ ପରାଜୟର ମୁଖ୍ୟ କାରଣ ସାଜିଛି। ପୁଣି ବିଜୁ ଜନତା ଦଳ ସମୃଦ୍ଧ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି।