February 16, 2025

ଭୁବନେଶ୍ୱର,୩୦ା୬(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ୧୯୯୦ ବ୍ୟାଚ୍‌ର ଓଡ଼ିଶା କ୍ୟାଡର ଆଇଏଏସ୍‌ ଅଫିସର ମନୋଜ ଆହୁଜା ରବିବାର ଓଡ଼ିଶା ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଲୋକସେବା ଭବନରେ ପହଞ୍ଚି ବିଦାୟୀ ମୁଖ୍ୟ ଶାସନ ସଚିବ ପ୍ରଦୀପ ଜେନାଙ୍କଠାରୁ ସେ ଆଜି ଏହି ଦାୟିତ୍ୱ ଗ୍ରହଣ କରିଛନ୍ତି।  ଏନେଇ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ମନୋଜ ଆହୁଜା ଓଡ଼ିଶାରେ  ଉପଜିଲାପାଳ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଓଡ଼ିଶା ସରକାରଙ୍କ ସମବାୟ, ଖଣି ଓ ଇସ୍ପାତ, କ୍ରୀଡ଼ା ଓ ଯୁବ ବ୍ୟାପାର ଏବଂ ଖାଦ୍ୟ ଓ ଖାଉଟି କଲ୍ୟାଣ ବିଭାଗର ସଚିବ ଭାବେ ସେ ଦାୟିତ୍ୱ ନିର୍ବାହ କରିଛନ୍ତି। ବାଣିଜ୍ୟ କର କମିଶନର ଭାବେ ନିଜର ଦକ୍ଷତା ପ୍ରତିପାଦନ କରିଛନ୍ତି। ହରିୟାଣାରେ ଜନ୍ମିତ ମନୋଜଙ୍କ ସ୍ୱଚ୍ଛତା ଓ ସାଧୁତା ପାଇଁ ବେଶ୍ ସୁପରିଚିତ। ୨୦୧୭ରେ ଡେପୁଟେଶନରେ କେନ୍ଦ୍ରକୁ ଯାଇଥିବା ଓଡ଼ିଶା କ୍ୟାଡରର ଏହି ଅଧିକାରୀ ଭାରତୀୟ ପ୍ରଶାସନିକ ସେବାକୁ ଆସୁଥିବା ଶିକ୍ଷା ନବୀଶଙ୍କୁ ଜନ ପ୍ରଶାସନ ସହ କିପରି ଯୋଡ଼ି ହେବା ତାହାର ନେତୃତ୍ୱ ନେଇଥିଲେ।

ମନୋଜ  ଓଡ଼ିଶା ‌ଫେରିବା ପୂର୍ବରୁ କେନ୍ଦ୍ର କୃଷି ମନ୍ତ୍ରଣାଳୟ ସଚିବ ଭାବେ କାର୍ଯ୍ୟ କରିଛନ୍ତି। ତାଙ୍କୁ ଓଡ଼ିଶା ଫେରାଇ ଆଣିବା ପାଇଁ ରାଜ୍ୟ ସରକାର କରିଥିବା ଅନୁରୋଧକୁ କେନ୍ଦ୍ର ସରକାର ଗ୍ରହଣ କରିଥିଲେ। ଗତ ୨୫ ତାରିଖରେ କ୍ୟାବିନେଟ୍‌ର ନିଯୁକ୍ତି ସଂକ୍ରାନ୍ତୀୟ କମିଟି ତାଙ୍କୁ ଓଡ଼ିଶା ଫେରିବା ପାଇଁ ଅନୁମତି ଦେଇଥିଲା। ଏଥିସହିତ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ମନୋଜ ଆସନ୍ତା ‌ଡିସେମ୍ବରରେ ଅବସର ନେବେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *