ଆମକୁ ଅଲଗା କରାଗଲେ ନଦୀକୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ପ୍ରେମୀ ଯୁଗଳ କହିଥିଲେ
ସାଲେପୁର,୧୦ା୮(ଭୟେସ ଅଫ୍ ଇଣ୍ଡିଆ/ପ୍ରଶାନ୍ତ ସିଂହ ) :- ଶୁକ୍ରବାର ସନ୍ଧ୍ୟାରେ କାଠଯୋଡି ନଦୀକୁ ଡେଇଁଥିବା ନଣନ୍ଦେଇ ଓ ଶଳାଭାଉଜ ଜୀବିତ ଉଦ୍ଧାର। ଉଭୟଙ୍କୁ ଆଜି ସକାଳେ ଜୀବିତ ଉଦ୍ଧାର କରାଯାଇ ପୁରୀଘାଟ ଥାନାକୁ ନିଆଯାଇଥିଲା। ସେଠାରୁ ପୁଲିସ ଉଭୟଙ୍କୁ ମେଡିକାଲକୁ ନେଇଛି। ଚୋରା ପୀରତିରେ ଲିପ୍ତ ଜଣେ ବ୍ୟକ୍ତି ନିଜ ଶଳାଭାଉଜଙ୍କ ସହ ଶୁକ୍ରବାର ସନ୍ଧ୍ୟାରେ ନେତାଜୀ ସେତୁ ଉପରେ ମୋବାଇଲ ଓ ଆଧାରକାର୍ଡ ରଖି ଉଛୁଳା କାଠଯୋଡି ନଦୀକୁ ଡେଇଁ ପଡିଥିଲେ। ସେମାନଙ୍କୁ ଖୋଜାଖୋଜି କରିବା ପରେ ସନ୍ଧାନ ନମିଳିବାରୁ ସଂପୃକ୍ତ ବ୍ୟକ୍ତିଙ୍କ ପତ୍ନୀ ଲୋକଲଜ୍ଜାରୁ ବର୍ତ୍ତିବା ପାଇଁ ନଈକୁ ଡେଉଁ ଆତ୍ମହତ୍ୟା କରିବାକୁ ଯାଉଥିବା ବେଳେ ତାଙ୍କୁ ଉଦ୍ଧାର କରାଯାଇଥିଲା। ଆଜି ଉଭୟ ଉଦ୍ଧାର ପରେ ପୁରୀଘାଟ ଥାନା ପୁଲିସ ଘଧଣା ତଦନ୍ତ ଆରମ୍ଭ କରିଛି।
ମିଳିଥିବା ସୂଚନା ଅନୁସାରେ ସମ୍ପୃକ୍ତ ବ୍ୟକ୍ତିଙ୍କ ଘର ବାଙ୍କି ଅଞ୍ଚଳରେ ବୋଲି ଜଣାପଡିଛି। କଟକ ନିମସାହିର କୃଷ୍ଣ ମୁଦୁଲିଙ୍କ ସହ ବାଙ୍କି ଥାନା ବାଆଁରା ପଞ୍ଚାୟତ ଅନ୍ତର୍ଗତ ରାମଚଣ୍ଡୀ ଗାଁର ଜନୈକ ବ୍ୟକ୍ତିଙ୍କ ପତ୍ନୀ ବର୍ଷାଙ୍କର ପ୍ରେମ ସମ୍ପର୍କ ରହିଥିଲା। ସେମାନେ ସମ୍ପର୍କରେ ନଣନ୍ଦେଇ ଓ ଶଳାଭାଉଜ। ବର୍ଷାଙ୍କର ଗୋଟିଏ ପୁଅ ଓ ଝିଅ ଥିବାବେଳେ ସେ ପ୍ରେମିକ କୃଷ୍ଣଙ୍କ ସହ ମାସେ ତଳେ ଫେରାର ହୋଇଯାଇଥିଲେ। ବର୍ଷାଙ୍କୁ ତାଙ୍କ ସ୍ୱାମୀ ବୁଝାସୁଝା କରି ଘରକୁ ଫେରାଇ ଆଣିବା ଉଦ୍ୟମ କରୁଥିଲେ। ବର୍ଷା ଫେରୁନଥିବାରୁ ସ୍ୱାମୀ ମହିଳା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଶଳାଭାଉଜ ଓ ନଣନ୍ଦେଇଙ୍କୁ ଡାକି ବୁଝାସୁଝା କରିବା ସହ ଘରକୁ ଫେରିବା ପାଇଁ ବର୍ଷାଙ୍କୁ ପରମର୍ଶ ଦେଇଥିଲେ। ମାତ୍ର ଏହା ସଫଳ ହୋଇନଥିଲା। ‘ଆମକୁ ଅଲଗା କରାଗଲେ ନଦୀକୁ ଡେଇଁ ଆତ୍ମହତ୍ୟା କରିବୁ ବୋଲି ପ୍ରେମୀ ଯୁଗଳ କହିଥିଲେ।