November 1, 2024

ଭୁବନେଶ୍ୱର ୧୪ା୮ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ସଂପ୍ରତି ହିନ୍ଦୁଧର୍ମ ଏବେ ବିପଦରେ , ହିନ୍ଦୁ ଧର୍ମର ବିଲୋପ ପାଇଁ ଚକ୍ରାନ୍ତ ଚାଲିଛି ଓ ପ୍ରତିବାଦର ସ୍ୱର ଉଠୁ ନାହିଁ । ଧର୍ମରକ୍ଷା କିପରି ହୋଇ ମାନବ ସମାଜର ସ୍ଥାୟିତ୍ୱ ବଜାୟ ରହିବ ସେ ସଂପର୍କରେ ଧାର୍ମିକ ଗୁରୁମାନେ ଏକ୍ରତ୍ରିତ ହୁଅନ୍ତୁ ବୋଲି ନିଶ୍ଚିନ୍ତକୋଇଲି ବ୍ଲକ ଖଣ୍ଡସାହିସ୍ଥ ବାସୁଦେବ ଆଶ୍ରମରେ ସ୍ୱାମୀ ଗୁରୁପାଦ ବ୍ରହ୍ମ ଅବଧୂତ ସୁକାନ୍ତ ଦାସଜୀ ମହାରାଜଙ୍କ ସ୍ୱର୍ଣ୍ଣକ୍ଷେତ୍ର ଉତ୍ସବ ଅବସରରେ ଅନୁଷ୍ଠିତ ଆଧ୍ୟାତ୍ମିକ ସଭାରେ ବିଶିଷ୍ଟ ବକ୍ତାମାନେ ମତବ୍ୟକ୍ତ କରିଛନ୍ତି । ରାଜ୍ୟସ୍ତରୀୟ ଦିବସ ବ୍ୟାପୀ ଜ୍ଞାନତତ୍ତ୍ୱ ଓ ପାଲା ପ୍ରତିଯୋଗିତା ତଥା ଆଧ୍ୟାତ୍ମିକ ସଭାରେ ରାଜ୍ୟ ସରକାର ତଥା ଜାତୀୟ ପୁରସ୍କାର ପ୍ରାପ୍ତ ପରିବେଶବିତ୍ ତଥା ଜନମଙ୍ଗଳ ସଭାପତିଙ୍କ ଅଧ୍ୟକ୍ଷତାରେ ଉଦ୍‌ଘାଟକ ଭାବେ ଲବ୍ଧ ପ୍ରତିଷ୍ଠ ସାହିତ୍ୟ ସଂଗଠକ ବିଶିଷ୍ଟ ଶିକ୍ଷାବିତ୍ ଶଶଧର ପଣ୍ଡା ଯୋଗଦେଇ କ୍ରୋଧ ମନୁଷ୍ୟର ବ୍ୟକ୍ତିତ୍ୱ ହ୍ରାସ କରିଥାଏ ଏବଂ କ୍ଷମା ମଣିଷକୁ ମହାନକରିବା ସହ ତମ, ମନ, କର୍ମ, ବଚନରେ କାହାରି ଅନିଷ୍ଠ ନକରିବାକୁ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଓଡିଶା ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନଜୀବୀ ରବିନାରାୟଣ ବେହେରା ଧୈର୍ଯ୍ୟ ହରା ନହୋଇ ଧୈର୍ଯ୍ୟ ଧରିଲେ ନିଜର ତଥା ସମାଜର କଲ୍ୟାଣ ସାଧନ ହେବ ଏବଂ ସକରାତ୍ମକ ଚିନ୍ତନ ଅସମୟକୁ ସୁସମୟ କରିପାରିବ ବୋଲି ମତ ଦେଇଥିଲେ । ବିଶିଷ୍ଟ ସାରସ୍ୱତ ସାଧକ ତଥା ଦୈନିକ ପୃଷ୍ଠଭୂମିର ସଂପାଦକ କୈଳାସ ଚନ୍ଦ୍ର ଜେନା ମୁଖ୍ୟବକ୍ତା ଭାବେ ଯୋଗଦେଇ ଭକ୍ତି ଓ ସମର୍ପଣ ମଣିଷର ପ୍ରତ୍ୟେକ କାର୍ଯ୍ୟକୁ ଶୀର୍ଷ ସ୍ଥାନରେ ସ୍ଥାନୀତ କରିବା ସହ ଆତ୍ମ ଚିନ୍ତନ ଓ ପ୍ରଭୁ ଚିନ୍ତନ ହିଁ ଜୀବନର ସଫଳତାରେ ସହାୟ ହୋଇଥାଏ ବୋଲି ପ୍ରକାଶ କରିଥିଲେ । ସମ୍ମାନୀତ ଅତିଥି ଭାବେ ଓଡିଶା ଉଚ୍ଚନ୍ୟାୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କେଶବ ଚନ୍ଦ୍ର ରାଉତ, ଲବ୍ଧ ପ୍ରତିଷ୍ଠ ସାହିତ୍ୟିକ ତଥା ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ସଦାଶିବ ଦାସ, ସାହିତ୍ୟିକ ଫକୀରଚରଣ ନାୟକ ପ୍ରମୁଖ ଯୋଗଦେଇ ସୁକାନ୍ତ ଦାସଜୀଙ୍କ ମହତ୍ୱ ପୂର୍ଣ୍ଣ ତତ୍ତ୍ୱ ଜ୍ଞାନ ସମାଜ ମଙ୍ଗଳରେ ଆସିପାରିବ ବୋଲି ଦୃଢୋକ୍ତି ପ୍ରକାଶ କରିଥିଲେ । ରାଜ୍ୟ ସ୍ତରୀୟ ଜ୍ଞାନ ତତ୍ତ୍ୱ ପ୍ରତିଯୋଗିତାରେ ବିଚାରକ ଭାବେ ଧନେଶ୍ୱର ସାହୁ ଏବଂ କାଳନ୍ଦୀ ଚରଣ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲା ବେଳେ ଅତିଥିମାନଙ୍କ ଦ୍ୱାରା ପ୍ରଥମସ୍ଥାନ ଅଧିକାର କରିଥିବା ସନ୍ତୋଷ ଦାସ, ଦ୍ୱିତୀୟ ସ୍ଥାନ ଅଧିକାର କରିଥିବା ଧରଣୀଧର କାଣ୍ଡି ଏବଂ ତୃତୀୟସ୍ଥାନ ଅଧିକାର କରିଥିବା ମିଟୁ ଦାସଙ୍କୁ ଆଶ୍ରମ ତରଫରୁ ମେଡାଲ, ମାନପତ୍ର ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା । ଏହି ଅବସରରେ ପ୍ରସିଦ୍ଧ ପାଲା ଗାୟକ ବିଶ୍ୱନାଥ ସ୍ୱାଇଁଙ୍କୁ ସଭା ମଞ୍ଚରେ ସ୍ୱତନ୍ତ୍ର ସମ୍ବର୍ଦ୍ଧନା ଓ ମାନପତ୍ର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶରତ ରାଉଳ, ଅଜୟ ଦାସ, କୈଳାସ ମଲିକ, ସମୀର ପରିଜା, ହେମନ୍ତ ନାୟକ, ଅନିରୁଦ୍ଧ ଓଝା, ସନ୍ତୋଷ ନାୟକ, ପରମାନନ୍ଦ ଦାସ ପ୍ରମୁଖ ସକ୍ରିୟ ସହଯୋଗ କରିଥିଲେ । ନାମାଶ୍ରିତ ପ୍ରଭାବତୀ ଭୂୟାଁ ସ୍ୱାଗତ ସଂଗୀତ ଗାନ କରିଥିଲା ବେଳେ ବିଶିଷ୍ଟ ସ୍ତମ୍ଭକାର ବିବେକାନନ୍ଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମରେ ଓଡିଶାର ବିଭିନ୍ନ ପ୍ରାନ୍ତରୁ ଶତାଧିକ ଆଧ୍ୟାତ୍ମିକ ବ୍ୟକ୍ତି ତଥା ମହିଳାମାନେ ଯୋଗଦାନ କରିଥିଲେ ।

Leave a Reply

Your email address will not be published. Required fields are marked *