ଭୁବନେଶ୍ବର-(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)-: ଆର୍ମି ଷ୍ଟାଫ୍ ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଅଗ୍ନିପଥ ଯୋଜନା ହେଉଛି ଏଭଳି ଏକ ଯୋଜନା ଯାହା ସେନାର ସବୁ କ୍ଷେତ୍ରରେ ଅଧିକ ବୈଷୟିକ ଜ୍ଞାନକୌଶଳ ଯୁକ୍ତ ଯୁବକମାନଙ୍କୁ ସାମିଲ ହେବା ପାଇଁ ସୁଯୋଗ ପ୍ରଦାନ କରିଛି।ପୁଣେ ସ୍ଥିତ ମିଲିଟାରୀ ଇଞ୍ଜିନିୟରିଂ କଲେଜର ସମାବର୍ତ୍ତନ ସମାରୋହକୁ ସମ୍ବୋଧିତ କରି ଜେନେରାଲ ମନୋଜ ପାଣ୍ଡେ କହିଛନ୍ତି ଯେ ଏହି ଯୋଜନାରେ ସୁନିଶ୍ଚିତ ହେବ ଯେ ସର୍ବଶ୍ରେଷ୍ଠ ବ୍ୟକ୍ତିମାନେ ମୂଳ ଶକ୍ତି ଭାବରେ ରହିବେ ଏବଂ ୟୁନିଟ୍ ଗୁଡିକରେ ଅଗ୍ନିବୀର ମାନଙ୍କ ସମନ୍ୱୟ ରହିବ। ସେ କହିଛନ୍ତି, ସେମାନଙ୍କର ମୂଲ୍ୟାଙ୍କନ ଏବଂ ସେବାରେ ରଖିବା ସମ୍ପୁର୍ଣ୍ଣ ଯୋଗ୍ୟତା ଉପରେ ଆଧାରିତ।
ଅଗ୍ନିବୀର ମାନଙ୍କୁ ପ୍ରଶିକ୍ଷଣ ଦେବାରେ ସେନା ଅଧୀକାରୀମାନଙ୍କ କାର୍ଯ୍ୟକୁ ପ୍ରଶଂସା କରି ଜେନେରାଲ ପାଣ୍ଡେ କହିଛନ୍ତି, ସେମାନେ ନିଜ ନିଜ ୟୁନିଟର ଗୁରୁତ୍ୱପୂର୍ଣ୍ଣ ଅଂଶବିଶେଷ। ସେନା ବାହିନୀରେ ଅତ୍ୟାଧୁନିକ ଜ୍ଞାନକୌଶଳର ଉପଯୋଗିତା ଉପରେ ଗୁରୁତ୍ୱାରୋପ କରି ସେନା ମୁଖ୍ୟ କହିଛନ୍ତି, ପ୍ରତ୍ୟେକ କାର୍ଯ୍ୟକୁ କେବଳ ଜଣେ ଇଞ୍ଜିନିୟର ଭାବରେ ନୁହେଁ ବରଂ ଏକ ସମସ୍ୟାର ସମାଧାନକାରୀ ତଥା ଅଭିନବ ଭାବରେ ଗ୍ରହଣ କରନ୍ତୁ। ନୂତନ ଯୁଗର ପ୍ରଯୁକ୍ତିବିଦ୍ୟାକୁ ଗ୍ରହଣ କରିବା ଏବଂ ପାରମ୍ପରିକ ପଦ୍ଧତିଠାରୁ ଅଧିକ ଧ୍ୟାନ ଦେବା ଉଚିତ୍ ବୋଲି ସେନା ମୁଖ୍ୟ କହିଛନ୍ତି।