ଡେସ୍କ: ପାକିସ୍ତାନୀ ସୁରକ୍ଷା ବାହିନୀ ଆଜି ନିଷିଦ୍ଧ ଘୋଷିତ ଆତଙ୍କୀ ଗୋଷ୍ଠୀ ତେହେରିକ-ଇ-ତାଲିବାନ ପାକିସ୍ତାନର ୨ ଜଣ ପ୍ରମୁଖ ସଦସ୍ୟଙ୍କୁ ହତ୍ୟା କରିଛି। ଏହି ଆତଙ୍କୀ ସଂଗଠନ ପଞ୍ଜାବ ପ୍ରଦେଶର ଆଇଏସଆଇ କୋଠା ଉପରେ ଆକ୍ରମଣ ଭଳି ଅନେକ ଆତଙ୍କବାଦୀ ଷଡଯନ୍ତ୍ରରେ ଜଡିତ ଥିଲା। ପାକିସ୍ତାନ ଆତଙ୍କବାଦ ନିରୋଧୀ ବିଭାଗ ବିବୃତ୍ତି ମୁତାବକ, ଲାହୋରଠାରୁ ପ୍ରାୟ ୨୦୦ କିଲୋମିଟର ଦୂରରେ ଥିବା ଚିନିଅଟ୍ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଥିବା ସୂଚନା ମିଳିବା ପରେ ଆତଙ୍କବାଦ ନିରୋଧୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା ଯେଉଁଥିରେ ସଂଗଠନର ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି।ସେମାନେ ଲୁଚିଥିବା ଅଂଚଳକୁ ସେଠାକାର ପୁଲିସ ଘେରାଓ କରିବା ପରେ ପ୍ରଥମେ ଆତଙ୍କବାଦୀ ମାନେ ପୁଲିସ ଉପରକୁ ଗୁଳି ଚଳାଇ ଥିଲେ। ଗୁଳି ବିନିମୟରେ ୨ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଥିବା ସମ୍ବାଦ ସରବରାହ ସଂସ୍ଥା ସୂଚନା ଦେଇଛି। ମୃତ ଦୁଇ ଜଣ ଆତଙ୍କବାଦୀଙ୍କ ମଧ୍ୟରୁ ଜଣଙ୍କ ନାମ ଗଜନଫର ନଦିମ ଓରଫ ଖାଲିଦ ହବିବ ବୋଲି ଜଣାପଡିଛି। ଖାଲିଦକୁ ଧରାଇ ଦେବା ପାଇଁ ୫୦ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ଏହା ଛଡା ଘଟଣାସ୍ଥଳରୁ ବ୍ୟାପକ ପରିମାଣର ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଥିବା ପାକିସ୍ତାନ ପୁଲିସ କହିଛି।