ରାୟଗଡ଼ା,୬ା୧(ଭୟୋସ ଅଫ୍ ଇଣ୍ଡିଆ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକରେ ଶନିବାର ନବୀନ ଓଡ଼ିଶା କାର୍ଯ୍ୟକ୍ରମର ଶେଷ ଦିବସ ଥିଲା। ଏଥିରେ ଯୋଗଦେଇ ଅପରାହ୍ନ ୫ଟାରେ ଫେରୁଥିଲେ ଅନୁସୂଚିତ ଜନଜାତି ଓ ଜାତି ତଥା ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା। ଏହି ସମୟରେ ବେଲକଣା ଛକ ନିକଟରେ ଜଣେ ୪ବର୍ଷର ଶିଶୁ ରାସ୍ତା ପାର ହେବା ସମୟରେ ମନ୍ତ୍ରୀଙ୍କ ଗାଡ଼ି ସହ ଧକ୍କା ହୋଇଥିଲା। ଫଳରେ ଶିଶୁଟି ସେଠାରେ ଆହତ ହୋଇଥିଲା। ଶିଶୁ ଜଣକ ବିଷମକଟକ ବ୍ଲକର ଭେଟାଗୁଡ଼ା ଗ୍ରାମର ସୁଧୀର ଗୁନାଲୁଙ୍କ ପୁଅ ନବୀନ (୪)। ସେ ବେଲକଣା ମାମୁଘରକୁ ଯାଇଥିଲା। ତେବେ ଦୁର୍ଘଟଣା ଘଟିବା ପରେ ମନ୍ତ୍ରୀଙ୍କ ଗାଡ଼ି ସେଠାରୁ ଚାଲି ଆସିବା ସମୟରେ ଗ୍ରାମବାସୀ କାର୍କୁ ଅଟକାଇଥିଲେ। ଫଳରେ ମନ୍ତ୍ରୀଙ୍କ ସୁରକ୍ଷା ପାଇଁ ରହିଥିବା ପୋଲିସ ଯବାନମାନେ ଓହ୍ଲାଇ ଗ୍ରାମବାସୀଙ୍କୁ ବନ୍ଧୁକ ଦେଖାଇଥିଲେ। ଯାହାଫଳରେ ସେଠାରେ ଉତ୍ତେଜନା ସୃଷ୍ଟି ହୋଇଥିଲା। ପୋଲିସ ଏବ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା। ଏଥିରେ ଉତ୍ତେଜନା ହୋଇ ଗ୍ରାମବାସୀ ମନ୍ତ୍ରୀ ଓ ଯବାନମାନଙ୍କୁ ଘେରି ରଖିଥିଲେ। ଏହାପରେ ମନ୍ତ୍ରୀ ସାରକା ଆଲୋଚନା କରି ଗ୍ରାମବାସୀଙ୍କୁ ବୁଝାଶୁଝା କରିବା ପରେ ଘଟଣା ଶାନ୍ତ ପଡ଼ି ଏବଂ ଶିଶୁଟିକୁ ରାୟଗଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ ମନ୍ତ୍ରୀ ସାରକା। ଶିଶୁଟିର ଗୋଡ଼ ଭାଙ୍ଗିଥିବା ଜଣାପଡ଼ିଛି। ଗୋଡ଼ ବ୍ୟାଣ୍ଡେଜ କରାଯାଇଛି। ବର୍ତ୍ତମାନ ସେ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ହେଉଛି।