November 1, 2024

ଭୁବନେଶ୍ୱର, (ଭୟୋସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ବିଜେଡି କଟକ ଜିଲା ସଭାପତି ଦେବାଶିଷ ସାମନ୍ତରାୟ ଓ ଅଭିନେତା ତଥା ବିଜେଡି ରାଜ୍ୟ ସାଧାରଣ ସମ୍ପାଦକ ଅରିନ୍ଦମ ରାଏଙ୍କୁ ନେଇ ସହରରେ ଚର୍ଚ୍ଚା ହୋଇଛି। ବୁଧବାର କଟକ ବକ୍ସି ବଜାରଠାରେ ଅନୁଷ୍ଠିତ ବିପ୍ଳବୀ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନବେଳେ ମଞ୍ଚରେ ଦୁହେଁ ଦୁହିଁଙ୍କ ହାତ ଧରି ଆଲିଙ୍ଗନ କରିଥିଲେ। ଏଭଳି ଦୃଶ୍ୟ ସାଧାରଣ ଲୋକଙ୍କୁ ଚର୍ଚ୍ଚାର ଖୋରାକ୍‌ ଯୋଗାଇଛି। ତେବେ ନେତାଜୀ ଜୟନ୍ତୀରେ ମଙ୍ଗଳବାର ସନ୍ଧ୍ୟାରେ ସହରର ଗୋଟିଏ ପଟେ ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିବାବେଳେ ଅନ୍ୟପଟେ ଅରିନ୍ଦମ ନିଜ ସମର୍ଥକଙ୍କୁ ନେଇ ଶୋଭାଯାତ୍ରା କରିଥିଲେ। ଉଭୟ ଶୋଭାଯାତ୍ରା ନେତାଜୀ ସଂଗ୍ରହାଳୟରେ ଗୋଟିଏ ସମୟରେ ପହଞ୍ଚିଥିଲା। ବିଜୁ ଛାତ୍ର ଜନତା ଦଳର ମଶାଲ ଶୋଭାଯାତ୍ରାରେ ଜିଲା ସଭାପତି ଦେବାଶିଷ ଉପସ୍ଥିତ ଥିଲେ। ହେଲେ ନେତାଜୀ ସଂଗ୍ରହାଳୟରେ ପହଞ୍ଚିବା ପରେ ଦେବାଶିଷ ଓ ଅରିନ୍ଦମ ଉଭୟଙ୍କୁ ଅଣଦେଖା କରିଥିବା ଚର୍ଚ୍ଚା ହୋଇଥିଲା। ମଙ୍ଗଳବାର ହୋଇଥିବା ଶୋଭାଯାତ୍ରାକୁ ନେଇ ଅରିନ୍ଦମ ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଥିଲେ, ତାଙ୍କୁ ଡକାଯାଇ ନାହିଁ ଏବଂ ସେ ଛାତ୍ର ନୁହନ୍ତି। ଏ ସମ୍ପର୍କରେ ଦେବାଶିଷ କୌଣସି ପ୍ରତିକ୍ରିୟା ଦେଇ ନ ଥିଲେ। ହେଲେ ଏହାର କିଛି ଘଣ୍ଟା ପରେ ଅର୍ଥାତ୍‌ ବୁଧବାର ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ ପାଳନ କାର୍ଯ୍ୟକ୍ରମରେ ଉଭୟ ଉଭୟଙ୍କୁ ଆଲିଙ୍ଗନ କରିବା କଟକର ରାଜନୈତିକ ବାତାବରଣକୁ ସରଗରମ କରିଛି।

ଏ ସମ୍ପର୍କରେ ଦେବାଶିଷ କହିଛନ୍ତି, ଭାଇଚାରାର ସହର କଟକରେ ସବୁ କିଛି ଚଳେ। ମଙ୍ଗଳବାର ନେତାଜୀଙ୍କ ନାତିଙ୍କୁ ନେଇ ବିଜୁ ଛାତ୍ର ଜନତା ଦଳକୁ ଶୋଭାଯାତ୍ରା କରିବାର ସୁଯୋଗ ମିଳିଥିଲା। ଏହା କୌଣସି ଦଳୀୟ କାର୍ଯ୍ୟକ୍ରମ ଭାବେ ଆୟୋଜନ କରାଯାଇ ନ ଥିଲା। ଅରିନ୍ଦମ ସମସ୍ତଙ୍କୁ ଏକ୍‌ଜୁଟ କରି ବ୍ୟକ୍ତିଗତ ଭାବେ ଶୋଭାଯାତ୍ରା କରିଥିଲେ। ନେତାଜୀ ସଂଗ୍ରହାଳୟଠାରେ ମୋର ଅରିନ୍ଦମ୍‌ଙ୍କ ସହ ଭେଟ ହୋଇ ନ ଥିଲା। ହେଲେ ବକ୍ସି ଜଗବନ୍ଧୁଙ୍କ ଶ୍ରାଦ୍ଧ ଦିବସ କାର୍ଯ୍ୟକ୍ରମରେ ତାଙ୍କ ସହିତ ସାମ୍ନାସାମ୍ନି ହେବା ସହ କଥା ହୋଇଛି। ଅରିନ୍ଦମ ମୋର ସାନଭାଇ ଏବଂ ଦଳର ରାଜ୍ୟ ସାଧାରଣ ସମ୍ପାଦକ। ରାଜନୀତି ଅଲଗା ବାଟରେ ଓ ମୋର ଅରିନ୍ଦମଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଅଲଗା ରହିଛି। ଅରିନ୍ଦମ ଟିକେଟ ପାଇଲେ ଲଢ଼ିପାରନ୍ତି। ଏପରି କି କୌଣସି ବ୍ୟକ୍ତି ମଧ୍ୟ ନିର୍ବାଚନ ଲଢ଼ିପାରିବେ ବୋଲି ଦେବାଶିଷ କହିଛନ୍ତି। ଅପରପକ୍ଷରେ ଅରିନ୍ଦମ କହିଛନ୍ତି, ମଙ୍ଗଳବାର ଶୋଭାଯାତ୍ରା ମୋର ବ୍ୟକ୍ତିଗତ ଓ ଏକ ଅନୁଷ୍ଠାନକୁ ନେଇ ରହିଥିଲା। ଦଳୀୟ କାର୍ଯ୍ୟକ୍ରମରେ ଡକା ହେଲେ ମୁଁ ଉପସ୍ଥିତ ରହିଥାଏ। ମଙ୍ଗଳବାର ଶୋଭାଯାତ୍ରା ସମ୍ପର୍କରେ ଅବଗତ ନ ଥିଲି। ତେଣୁ ଶୋଭାଯାତ୍ରା ମୁଁ ଉପସ୍ଥିତ ନ ଥିଲି, ଏହାର କାରଣ ଉକ୍ତ ବ୍ୟକ୍ତି ହିଁ କହି ପାରିବେ। କଟକରେ ସମସ୍ତଙ୍କ ସହ ବ୍ୟକ୍ତିଗତ ସମ୍ପର୍କ ଭଲ ଥାଏ। ବିଜେଡିରୁ ଟିକେଟ ମିଳିଲେ ନିଶ୍ଚିତ ନିର୍ବାଚନ ଲଢ଼ିବି। ଜିଲା ସଭାପତି ସମର୍ଥନ କରୁଛନ୍ତି, ପ୍ରଥମେ ଧନ୍ୟବାଦ ଜଣାଇବି। ଯଦି ଟିକେଟ ନ ମିଳେ ତେବେ ତାହା ସମୟ କହିବ ବୋଲି ଅରିନ୍ଦମ କହିଛନ୍ତି।

Leave a Reply

Your email address will not be published. Required fields are marked *