January 27, 2025

ଭୟେସ ଅଫ୍ ଇଣ୍ଡିଆ, ଡିଜିଟାଲ ଡେସ୍କ: ସ୍ଵାସ୍ଥ୍ୟ ପ୍ରତି ସଚେତନ ଥିବା ବ୍ୟକ୍ତି ଖାଦ୍ୟପେୟ ପ୍ରତି ବିଶେଷ ଧ୍ୟାନ ଦେଇଥାଆନ୍ତି। ବର୍ତ୍ତମାନ ସମୟର ଜୀବନଶୈଳୀ ଯୋଗୁ ଅଧିକାଂଶ ଲୋକ ଅମ୍ଳ ଦୋଷ ଏବଂ କେଶ ଝଡ଼ିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ତେବେ ସକାଳର ଖାଦ୍ୟ ଏସବୁ ସ୍ଵାସ୍ଥ୍ୟ ସମସ୍ୟା ଉପରେ ବିଶେଷ ପ୍ରଭାବ ପକାଇଥାଏ। ଆୟୁର୍ବେଦିକ ଡାକ୍ତରଙ୍କ ଅନୁସାରେ, ସକାଳୁ ମୁଖ୍ୟତଃ ୩ଟି ଅଭ୍ୟାସକୁ ପରିତ୍ୟାଗ କରିବା ଜରୁରୀ। ସକାଳୁ ଖାଲିପେଟରେ ଏହି ୩ଟି ଜିନିଷ ସେବନ କଲେ ଅମ୍ଳଦୋଷ(ଏସିଡିଟି) ଭଳି ସ୍ଵାସ୍ଥ୍ୟ ସମସ୍ୟା ସାଙ୍ଗକୁ କେଶ ଝଡ଼ିବା ଆରମ୍ଭ ହୋଇଥାଏ।

ଆୟୁର୍ବେଦିକ ଡାକ୍ତର ମିହିର ଖତ୍ରି କୁହନ୍ତି, ଖାଲି ପେଟରେ ୩ଟି ଜିନିଷ ଖାଇବା ଅନୁଚିତ। ବିଶେ​ଷକରି ଅମ୍ଳଦୋଷର ଶିକାର ଲୋକମାନେ ଏସବୁ ଜିନିଷରୁ ଦୂରେଇ ରହିବା ଉଚିତ। ଅମ୍ଳଦୋଷ ଥିଲେ ପେଟରେ ଅମ୍ଳ ସୃଷ୍ଟି ହେବା ସହିତ ଆମ୍ବିଳା ହାକୁଟି ହୋଇଥାଏ। ଛାତିରେ ଜଳାପୋଡ଼ା ବି ହୋଇଥାଏ।

ଅନେକ ଲୋକଙ୍କ ଧାରଣା ରହିଛି ଯେ, ସକାଳୁ ଉଷୁମ ପାଣିରେ ଲେମ୍ବୁ ଓ ମହୁ ମିଶାଇ ପିଇଲେ ଚର୍ବି ହ୍ରାସ ପାଇବା ସହିତ କୋଲେଷ୍ଟରଲ କମିଥାଏ। କିନ୍ତୁ ଏହାଦ୍ଵାରା ଧୀରେ ଧୀରେ ପେଟରେ ଅମ୍ଳ ବଢ଼ିଥାଏ। ଅଭ୍ୟାସଗତ ଭାବେ ଏହାକୁ ସେବନ କଲେ କେଶ ଝଡ଼ିବା ଆରମ୍ଭ ହୋଇଥାଏ। ଆୟୁର୍ବେଦ ଅନୁସାରେ ଗରମ ପାଣିରେ ମହୁ ମିଶାଇବା ବିଷ ସହିତ ସମାନ।

ସେହିପରି ସକାଳ ସମୟରେ ଖାଲି ପେଟରେ ରସୁଣ ବି ଖାଇବା ଅନୁଚିତ। ଏହା ସ୍ଵାସ୍ଥ୍ୟପ୍ରତି ହାନିକାରକ ହୋଇଥାଏ। କୋଲେଷ୍ଟେରଲ ହ୍ରାସ କରିବାକୁ ଏବଂ ରକ୍ତଚାପ କମାଇବାକୁ ଲୋକମାନେ ରସୁଣ ଖାଇଥାଆନ୍ତି। କିନ୍ତୁ ଏହା ବି ପେଟରେ ଅମ୍ଳଦୋଷ ସୃଷ୍ଟି କରିଥାଏ। ଅନେକ ଲୋକ ସକାଳୁ ସକାଳୁ ଅଦା ମସଲା ଚା’ ପିଇବାକୁ ପସନ୍ଦ କରନ୍ତି। ବହୁ ଲୋକଙ୍କର ଏହି ଅଭ୍ୟାସ ରହିଛି। କିନ୍ତୁ ଏହା ଅମ୍ଳତାକୁ ବୃଦ୍ଧି କରିଥାଏ। ସେଥିଲାଗି ଖାଲି ପେଟରେ ଚା’ ପିଇବା ଅନୁଚିତ ବୋଲି ଡାକ୍ତର କହିଛନ୍ତି।

Leave a Reply

Your email address will not be published. Required fields are marked *