January 29, 2025
ଡ.ଦୀପ୍ତିମୟୀ ବେହେରା

ପ୍ରଥମ ଦେଖାରେ ପ୍ରଥମ ହସରେ
ପଡ଼ିଗଲି ତୁମ ପ୍ରେମରେ
ତୁମେ କିଛି କୁହ ମୁଁ କିଛି କହେ
ମୂଲ୍ୟ ନ ଥାଏ ସେ କଥାରେ ।

କଥା ଆଉ ହସ ଭିତରେ
ପରିବେଶଟା ଦୋହଲି ଉଠେ
ଯାଉଥିବା ଲୋକ ଚାହାଁନ୍ତି ନିରେଖି
ଆମ ହୃଦେ କିନ୍ତୁ ପଦ୍ମ ଫୁଟେ ।

ମୁଁ ହସୁଥାଏ ଶିଶୁଟିଏ ପରି
ତମେ ଚାହିଁଥାଅ ମତେ
ଭାବୁଥାଅ ମୁଁ ତମକୁ ପାଇ
ଖୁସି ହୁଏ ସତେ କେତେ ?

ସେଦିନକୁ ଜମା ଭୁଲି ହୁଏନାହିଁ
ରହି ଯାଇଛି ମୋ ସ୍ମୃତି ହୋଇ
ଭାବନା ଭିତରେ ବୁଡ଼ି ରହି ମୁଁ
ଖାଲି ଝୁରି ହୁଏ ତୁମ ପାଇଁ ।

ରୁଟିନ ବନ୍ଧା ଜୀବନେ
ଆସୁଥିଲ ତୁମେ ପ୍ରତିଦିନ
ସ୍ୱପ୍ନ ରାଇଜର ସୌଧ ଗଢ଼ି
କାହିଁ ଦୂରେଇଗଲ ସବୁଦିନ ।

ତମେ ଛାଡ଼ି ଗଲାପରେ
ଜୀବନର ଜଉଘରେ
ଜଳୁଛି ମୁଁ ଶୁନ୍ୟତା ଭିତରେ
ଅନୁତାପର ଅଶ୍ରୁ ଅନଳରେ ।

ଭୁଲି ହେଉନାହିଁ ସେଦିନର
ସେହି ପ୍ରଥମ ପ୍ରେମକୁ
ହୃଦୟର ସ୍ପନ୍ଦନ ଶେଷ ହେବାଯାଏଁ
ପ୍ରତୀକ୍ଷା କରିବି ମୁଁ ତୁମକୁ
ପ୍ରତୀକ୍ଷା କରିବି ମୁଁ….
ତୁମକୁ ।
——————
ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ , କଟକ
ଅଧ୍ୟାପିକା

Leave a Reply

Your email address will not be published. Required fields are marked *