January 27, 2025

ଶ୍ରୀ ବସନ୍ତ କୁମାର ଘୋଷ

                 ଦୁଇଦିନ ଲଗାଣ ବର୍ଷା ହେବା ପରେ ଆଜି ସକାଳରୁ ପାଗ ଖୋଲିଯାଇଛି । କୋମଳ ସୂର୍ଯ୍ୟାଲୋକରେ ସାରା ବସୁଧାଟା ଝଲମଲ କରୁଛି । ଅଦ୍ଭୁତ ଏ ସୃଷ୍ଟି ! ନୀଳ ଆକାଶକୁ ଚାହିଁଲେ  ଆଖି ଫେରାଇବାକୁ ଇଛା ହେଉନାହିଁ । ଏତେ ବର୍ଷଣ ସତ୍ତ୍ୱେ ତଥାପି ଭେଳାଭେଳା ସଫେଦ ବଉଦ ତମାମ ତାରାପଥରେ ଆତଯାତ ହୋଇ ନିଜର ଉପସ୍ଥିତି ଜାହିର କରୁଛନ୍ତି । ଆଉ ମାଟି କଥା ତ ସ୍ୱତନ୍ତ୍ର । କେତେ ରଙ୍ଗ କେତେ ସୁଗନ୍ଧ ଦ୍ରବ୍ୟରେ ନିଜକୁ ସଜାଇଛି । ଏହାର ଅବଲୋକନରେ  ରମୁର ଖୁବ ଇଛାହେଲା ମନଭରି ନାଚିବାକୁ । ଆଉ ବିଳମ୍ବ କଲାନି । ସବୁଜ ଶାଦ୍ଦ୍ୱଳଭରା ପ୍ରାନ୍ତରରେ ସୁଶୀତଳ ବାଆରେ ଝୁମିଝୁମି ନାଚୁଥିବା କାଶଫୁଲର ଶୀଷକୁ ଚାହିଁ  ନିଜେ ଦୁଇଗୋଡ ତୋଳି ନର୍ତ୍ତନ ଆରମ୍ଭକଲା । ତା’ର ଏହି ପ୍ରାଣବନ୍ତ ନୃତ୍ତ୍ୟରେ ଅନୁପ୍ରାଣିତ ହୋଇ ଅନ୍ୟମାନେ ମଧ୍ୟ କ୍ରିୟାଶୀଳ ହେଲେ । ତେବେ ଖୁବ ବାରି ହୋଇପଡୁଥିଲା ରମୁର ନୃତ୍ତ୍ୟ । ତା’ର ଗଳାରେ ବନ୍ଧାହୋଇଥିବା ଘୁଙ୍ଗୁର ହଳ ସୃଷ୍ଟି କରୁଥିଲା ଅପୂର୍ବ ଗୁଞ୍ଜନ । ରମୁ ବିଭୋର ହୋଇ ନାଚୁଥିଲା ଯେ ତା’ର ଅଜ୍ଞାତରେ କେତେବେଳେ ଦିନ ସରିବାକୁ ବସିଲାଣି, ବିଳମ୍ବ ଦେଖି  ଶୁଭ ତାକୁ ଡାକ ଛାଡିଲାଣି । ରମୁ ସେହି ନାଚିବା ମୁଦ୍ରାରେ ଶୁଭ ନିକଟକୁ ଦୌଡିଗଲା । ବଡ ସରାଗରେ ସ୍ନେହ ରଙ୍କୁଣାଙ୍କ ଭଳି ତା ଦେହରେ ଘସି ହେବାକୁ ଲାଗିଲା ।

                        ରମୁର ବୟସ ବେଶି ନୁହେଁ । ତଥାପି କେମିତି ଏକ ମାୟାଜାଲରେ ସଭିଙ୍କୁ ବାନ୍ଧିପକାଇଛି । ପରିବାର ମଧ୍ୟରେ ତାର ଖାତିରିଦାରି, ଯତ୍ନ ଅଧିକ । ଛୋଟ ହେଲେ ମଧ୍ୟ ସମସ୍ତେ ତାକୁ ସମ୍ଭ୍ରମ କରନ୍ତି । ସବୁଥିରେ ପ୍ରଥମ ଭାଗ ସେ ପାଇଥାଏ । ତା’ର ଏହି ସ୍ୱତନ୍ତ୍ରତାରେ ଅନ୍ୟମାନେ ତାକୁ ଈର୍ଷା କରନ୍ତି । କିନ୍ତୁ ତା ପଥରେ ପ୍ରାଚୀରଭାବେ ଛିଡାହୋଇପାନ୍ତିନି । ଶୁଭବୋଉ ତାକୁ ବହୁତ ସ୍ନେହ କରନ୍ତି । ସବୁବେଳେ ତାକୁ ଆଖିରେ ଆଖିରେ ରଖିଥାନ୍ତି । ଶୁଭ ସହିତ ରମୁକୁ ଫେରିବାର ଦେଖି ସେ ବହୁତ ଖୁସିହୋଇଗଲେ । ରମୁକୁ ଖୁବ ଗେଲକରି ଶୁଭକୁ ତାଗିଦାକରି କହିଲେ “ ଦିନ ସରିବାକୁ ବସିଲାଣି । ଏ ଯାଏଁ ରମୁ ବାହାରେ ବୁଲୁଥିଲା, ତୁ କଣ କରୁଥିଲୁ ? ଆଉ କେତୋଟି ଦିନ ବା ସେ ଆମ ଘରେ ରହିବ କହିଲୁ , ତାକୁ ସବୁବେଳେ ଆଖି ଆଗରେ ରଖିଥିବୁ । କୁଆଡେ ଯଦି ଚାଲିଗଲା ତେବେ ବଡ ବିଭ୍ରାଟ ହେବ ।“  

                        ବିଗତ କେତେଦିନ ଧରି ରମୁ ପ୍ରତି ସମସ୍ତଙ୍କର  ସ୍ନେହ ମମତା ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଥିଲା । ରମୁ ଆନନ୍ଦରେ ବିଭୋର ହେଉଥିଲା । ସଭିଙ୍କର ସ୍ନେହ ପରଶରେ ତା’ର କଳା ମୁଚୁମୁଚୁ ଦେହଟାରୁ ତେଲ ବୋହିବାକୁ ଲାଗିଲାଣି ।  ମୁଣ୍ଡରେ ଗଜରିଥିବା ଛୋଟ ଛୋଟ ଶିଙ୍ଗ ଦୁଇଟି ତାର ରୂପ ମାଧୁରୀକୁ ଆହୁରି ଶାଣିତ କରିଥାଏ । ବାଟରେ ଯିବା ଆସିବା କରୁଥିବା ପାନ୍ଥଟିଏ ତା ଉପରେ ନଜର ପଡିଗଲେ ନ ଅଟକି ଯାଇପାରେନା । ଏସବୁକୁ ଦେଖି ରମୁର ମନ କୁଣ୍ଢେ ମୋଟ ହୋଇଯାଏ । ସେଇଥିକୁ ଦେଖି ତା’ର କାନ ଦୁଇଟିକୁ ଫଡଫଡ କରି ହଲାଏ ଏବଂ ହରିଣ ଭଳି କୁଦା ମାରେ । ରମୁର ଆଖି ଦୃଷ୍ଟିଆ ସ୍ୱାସ୍ଥ୍ୟକୁ ଦେଖି ଶୁଭବୋଉ ଖୁସି ହୁଅନ୍ତି ଏବଂ ଠାକୁରାଣୀଙ୍କ ଉଦ୍ଦେଶ୍ୟରେ  ପ୍ରଣାମ ଜଣାନ୍ତି ।

                        କ୍ରମଶଃ ଅଶୀଣର ନିର୍ମଳ ଆକାଶ ମେଘମୁକ୍ତ ହେଉଥିଲା । କୃଷ୍ଣପକ୍ଷର ସମାପ୍ତୀ ଘଟି ଦେବୀପକ୍ଷ ଆରମ୍ଭ ହୋଇଯାଇଥିଲା । ତମାମ ଧରଣୀରେ ଦେବୀଙ୍କ ଆଗମନୀ ନିମନ୍ତେ ପ୍ରସ୍ତୁତି ଶିଖର ଛୁଉଁଥିଲା । ଉଷାକାଳରେ ଦେବୀପୀଠମାନଙ୍କରେ ଚଣ୍ଡୀପାଠ ହେଉଥିଲାବେଳେ ଦେବୀଙ୍କର ମୃଣ୍ମୟ ମୂର୍ତ୍ତି ପୂଜନ ନିମନ୍ତେ ମଣ୍ଡପରେ ଦୃତଗତିରେ ଆୟୋଜନ ଚାଲିଥିଲା। ଦେଖୁ ଦେଖୁ ମାଆଙ୍କର ବୋଧନ ଏବଂ ବେଲବରଣୀ ପ୍ରଥା ମଧ୍ୟ ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ସମାପନ ହୋଇଗଲା । ପରଦିନ ନିୟମାନୁସାରେ ପୀଠ ଏବଂ ମଣ୍ଡପରେ ମହାସପ୍ତମୀ ପୂଜା ଶେଷ ହୋଇଗଲା ।

                        ଆଜି ଦେବୀ ପୂଜନର ମହାଷ୍ଟମୀ । ଶ୍ରଦ୍ଧାଳୁମାନେ ଅଧୀର ଆଗ୍ରହରେ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି । ସକାଳୁ ସକାଳୁ ଶୁଭବୋଉ ଏବଂ ଶୁଭବାପା ରମୁକୁ ନେଇ ବ୍ୟସ୍ତ । ସେମାନଙ୍କର ସ୍ନାନ ଶୌଚାଦି ନିତ୍ୟକର୍ମ ସାରି ଖୁବ ଯତ୍ନର ସହିତ ରମୁକୁ ପରିଷ୍କାର ପରିଛନ୍ନ କଲେ । ତା’ର ଗଜରା ଶିଙ୍ଗରେ ସୁଗନ୍ଧିତ ତେଲ ଏବଂ ବଟା ହଳଦୀ ବୋଳିଦେଲେ । ଶୁଭବାପା କହିଲେ “ ଶୁଭବୋଉ ! ରମୁ ବେକରୁ ଘୁଙ୍ଗୁର ହଳକୁ କାଢିଦିଅ । ଏବେ ଏହାର ଆଉ କିଛି ଆବଶ୍ୟକତା ନାହିଁ। “ ଶୁଭବୋଉ ଅବିଳମ୍ବେ କାଢିଲେ ଯେ କିନ୍ତୁ ତାଙ୍କର ଚକ୍ଷୁଯୁଗଳ ଅଶ୍ରୁସିକ୍ତ ହୋଇଗଲା। ପଣତରେ ଆଖିରୁ ଝରୁଥିବା ଲୋତକର ଧାରକୁ ପୋଛିପକାଇଲେ ।  ଏଥର ଦୁହେଁ ରମୁକୁ ଏକ ନୂତନ ଦୌଡିରେ ବାନ୍ଧି ଗୃହ ପ୍ରାଙ୍ଗଣରୁ ବାହାରି ଚାଲିଲେ । ଶୁଭ ମଧ୍ୟ ବାହାରିଥିଲା ସେମାନଙ୍କ ସାଥୀରେ ଯିବାକୁ । କିନ୍ତୁ ତା’ର ବାପା ବାରଣକରି କହିଲେ “ ତୋର ସେଠାରେ କିଛି କାମ ନାହିଁ । ତୋ ମଙ୍ଗଳ ବିଧାନ ନିମନ୍ତେ ରମୁକୁ ଦେବୀଙ୍କୁ ଯଚା ଯାଇଥିଲା । ସମୟ ପୂରି ଗଲାଣି ଆମେ ତାକୁ ଦେବୀପୀଠରେ ଜିମା ଦେଇ ଆସିବୁ । ବ୍ୟସ୍ତ ହେବୁନୁ । ଆମେ ଯିବୁ ଆଉ ଆସିବୁ । “

                        ରମୁ ତା’ର ଖାଉନ୍ଦ ଓ ଖାଉନ୍ଦାଣୀଙ୍କ ସହିତ ଭ୍ରମଣରେ ବାହାରିଛି ଭାବି ମନେମନେ ଖୁବ ଖୁସି ହେଉଥିଲା । ସାଥୀରେ ଶୁଭ ଥିଲେ ଆହୁରି ମଜା କରିଥାନ୍ତା ବୋଲି ଭାବୁଥିଲା । ସେ ଯାହାହେଉ ଖୁସିରେ ତା’ର ଗୋଡ ତଳେ ଲାଗୁନଥିଲା । ନାଚି ନାଚି ଦୌଡୁଥିଲା । ବେଳେବେଳେ କାନ ଦୁଇଟିକୁ ଫଡଫଡ କରି ନଚାଇ ଆକାଶର ନୀଳିମାକୁ ମନଭରି ଉପଭୋଗ କରୁଥିଲା । ପଥ ପାର୍ଶ୍ୱରେ ଜନ୍ମିଥିବା କଅଁଳିଆ କଣ୍ଟକୀତ ଗୁଳ୍ମଗୁଡିକୁ ଦେଖି ଲୋଭର ବଶବର୍ତ୍ତୀ ହୋଇ ଟାଣି ହୋଇଯାଉଥାଏ  ଯେ ଶୁଭବାପା ତା ଉପରେ ବିରକ୍ତ ହେଉଥାନ୍ତି । କିନ୍ତୁ ଖାଉନ୍ଦାଣୀ ତାକୁ ଆଉଁସି ଦେଇ ସେହି ଗୁଳ୍ମର ସବୁଜ ପତ୍ର ଉଦରସ୍ଥ କରିବାକୁ ସୁଯୋଗ କରିଦେଉଥାଆନ୍ତି । ରମୁର ଅନ୍ତରଟା ଆତ୍ମତୃପ୍ତୀରେ ଭରିଗଲା ।

                        କିଛି ପଥ ଅତିକ୍ରମ କରିବା ପରେ ରମୁ ଦେଖିଲା ରାସ୍ତାରେ ଅନେକ ପଥଚାରୀ । ସେମାନଙ୍କ ମଧ୍ୟରୁ  ଅନେକେ ତା’ରି ଭଳି ଛାଗ କିମ୍ବା ମେଣ୍ଢାକୁ ବାନ୍ଧି ସାଥୀରେ ନେଉଥାନ୍ତି । ଅଦୂରରୁ ଶୁଭୁଥାଏ ଘଣ୍ଟ ଏବଂ ବାଦ୍ୟ ଧ୍ୱନୀ । କିଛି ସମୟପରେ ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ରମୁ ସହିତ ତା’ର ଖାଉନ୍ଦ ଓ ଖାଉନ୍ଦାଣୀ ପହଞ୍ଚିଲେ । ଆଶ୍ଚର୍ଯ୍ୟ ହୋଇ ଦେଖୁଥିଲା ତା’ର ଟିକି ସାଆନ୍ତ ଶୁଭଭଳି କେତେ  ରଙ୍ଗବେରଙ୍ଗର ପୋଷାକ ପିନ୍ଧା ପିଲାମାନେ ବୁଲୁଥିଲେ । ବିଭିନ୍ନ ଦ୍ରବ୍ୟର ପସରା ମେଲି ବସିଥିଲା ମଧ୍ୟ କେତେକେତେ ଦୋକାନ । ପୁଣି ମଣ୍ଡପରେ ଶୋଭାପାଉଥିଲା କେତେ ସୁନ୍ଦର ଦେବୀ ଦୂର୍ଗାଙ୍କର ମୃଣ୍ମୟୀ ମୂର୍ତ୍ତୀ । ଏସବୁର ଅବଲୋକନରେ ରମୁ ମନରେ ଅହେତୁକ ଶଙ୍କା ଜାଗ୍ରତ ହେଲା । ପିଲାଟି ଦିନରୁ ସେ ଦେଖିଆସିଛି କେବଳ  ସବୁଜ ପ୍ରାନ୍ତର ଏବଂ ତା’ର ଆଶ୍ରୟଦାତାଙ୍କ ଗୃହ ପ୍ରାଙ୍ଗଣକୁ । ତା’ର ସୀମିତ ଜୀବନ କାଳରେ ସେ ଏ ପ୍ରକାର ଜନଗହଳି ସ୍ଥାନ କେବେ ଦେଖିନଥିଲା । ସେହି ଜନଗହଳି ମଧ୍ୟରୁ କେହିଜଣେ ଶୁଭବାପାଙ୍କ ହାତରୁ ରମୁକୁ ଝିଙ୍କି ନେଇଗଲେ । ଲୋକଟି ତା ମସ୍ତକରେ ସିନ୍ଦୁର ଗାରଟିଏ ଟାଣିଦେଇ ଗଳାରେ ଏକ ସୁଦୃଶ୍ୟ ଫୁଲମାଳ ପିନ୍ଧାଇଦେଲେ । ରମୁ ଭୀଷଣ ଆତଙ୍କରେ ଥରି ଚିତ୍କାର କରିବାକୁ ଲାଗିଲା । ଅନେକ ଚେଷ୍ଟାକଲା ଲୋକଟି ହାତରୁ ଖସିଯାଇ ତା’ର ମୁନିବ ଶରଣରେ ଲୁଚି ରହିବ । କିନ୍ତୁ ନା ତା ହୋଇପାରିଲା କିମ୍ବା ନା ଆସିଲେ ତା’ର ମୁନିବ ତାକୁ ରକ୍ଷା କରିବାକୁ । ଜହ୍ଲାଦ ସମ ଲୋକଟି ତାକୁ ସଜୋରେ ଟାଣି ନେଉଥିଲେ ଭିଡ ମଝିରେ ଥିବା ଶୂନ୍ୟସ୍ଥାନକୁ । ଅସହାୟଭାବେ ସେ ଚାହିଁ ଦେଖୁଥିଲା ଯେ ସମୀପରେ ମାଆ ଦୂର୍ଗାଙ୍କ ମୂର୍ତ୍ତୀ ଉପରେ ଦୃଷ୍ଟି ପଡିଗଲା । ରମୁର ମନେହେଲା ଯେମିତି ଦେବୀ ତାକୁ ଅତି କରୁଣ ନୟନରେ ଚାହିଁ ରହିଛନ୍ତି ।

                        ଆଜି ଦେବୀଙ୍କ ମହାଷ୍ଟମୀର ସନ୍ଧି ପୂଜା । ଏହି ଦିନରେ ଦେବୀ ଦାନବ ମହିଷାସୁରର ନିଧନକରି ଏ ଧରାକୁ ପାପମୁକ୍ତ କରିଥିଲେ । ଏଣୁ କେଉଁ ପ୍ରାଚୀନ କାଳରୁ ସେହି ଶୁଭଦିନର ସ୍ମୃତିରେ ଆଶ୍ୱିନ ମାସରେ ଏହି ଦେବୀ ପୂଜା ।  ଶ୍ରଦ୍ଧାଳୁମାନେ କେତେକେତେ ନୀତି ନିୟମ ମାନି ଦେବୀଙ୍କୁ ପୂଜାର ଅର୍ଘ୍ୟ ଅର୍ପଣ କରୁଛନ୍ତି । ହଠାତ ବାଜି ଉଠିଲା ଯୁଦ୍ଧ ବାଦ୍ୟ ଢଙ୍ଗରେ ଘଣ୍ଟ ଘଣ୍ଟା ଢୋଲ ଏବଂ ମହୁରୀ । ଭକ୍ତମାନେ ଗଳା ଫଟାଇ ଚିତ୍କାର କରି ହରିବୋଲ ହୁଳହୁଳି ଏବଂ ଦେବୀଙ୍କର ଜୟଜୟକାର କରୁଥିଲେ । ଜହ୍ଲାଦ ଜଣକ ଏକ ଅର୍ଗଳି ମଧ୍ୟରେ ରମୁର ବେକଟିକୁ ଭର୍ତ୍ତି କରିଦେଲେ । ରମୁ ନିର୍ବାକ ହୋଇ ଅସହାୟ ଭାବେ ଚାହିଁଥିଲା ବେଳେ କେବଳ ଏକ ଧାରୁଆ ଅସ୍ତ୍ରରେ ତାକୁ ଆଘାତ କରାଯିବା ଜାଣିପାରିଥିଲା । ଚାହୁଁଥିଲା ଚିତ୍କାର କରିବାକୁ କିନ୍ତୁ ଅଶେଷ ଯନ୍ତ୍ରଣାରେ ଛଟପଟହୋଇ ସ୍ଥିର ନିଷ୍ପନ୍ଦ ହୋଇଗଲା । 

ସମ୍ପାଦକ, କଳିଙ୍ଗ ସାହିତ୍ୟ ଏକାଡେମୀ,

ବହୁଗ୍ରାମ, କଟକ

ମୋବାଇଲ : 9938792152

***

Leave a Reply

Your email address will not be published. Required fields are marked *