
ନୂଆଦିଲ୍ଲୀ ୦୫ା୦୨ (ଭୟୋସ ଅଫ୍ ଇଣ୍ଡିଆ) :- ଗୁଗଲ୍ ଏହାର ଏକ ଲୋକପ୍ରିୟ ଫିଚରକୁ ସବୁଦିନ ପାଇଁ ବନ୍ଦ କରିଦେଇଛି। ନିଜର କ୍ୟାଚ୍ଡ ୱେବ ପେଜ୍ ଫିଚରକୁ କମ୍ପାନୀ ବନ୍ଦ କରିଦେଇଛି। ଗୁଗଲ୍ କହିଛି ଯେ, ଏହାର ଆଉ କୌଣସି ଆବଶ୍ୟକତା ନାହିଁ। ଏଠାରେ ସୂଚନାଯୋଗ୍ୟ, ଉପଭୋକ୍ତା ଶୀଘ୍ର ପେଜ୍ଗୁଡ଼ିକରେ ପହଞ୍ଚିବା ପାଇଁ ସାହାଯ୍ୟ କରିବାକୁ କ୍ୟାଚ୍ଡ ୱେବ ପେଜ୍ ଲଞ୍ଚ୍ କରାଯାଇଥିଲା, ଯେତେବେଳେ କି ଲୋଡିଙ୍ଗ୍ ଏକ ସମସ୍ୟା ହୋଇ ଉଭା ହେଉଥିଲା। ତେବେ ଆଜିକାଲି ଲୋଡିଙ୍ଗ୍ କ୍ଷମତାରେ ଅଭୂତପୂର୍ବ ଉନ୍ନତିକୁ ଦୃଷ୍ଟିରେ ରଖି ଗୁଗଲ୍ ଏହି ଫିଚରକୁ ବନ୍ଦ କରିବାକୁ ନିଷ୍ପତ୍ତି ନେଇଛି। ପୂର୍ବରୁ ଏହି ଫିଚର ଲୋଡିଙ୍ଗ୍ ସମୟ କମ୍ କରି ଉପଭୋକ୍ତାଙ୍କୁ ଏକ ୱେବପେଜରେ ପହଞ୍ଚିବାକୁ ସକ୍ଷମ କରୁଥିଲା। ସାଧାରଣତଃ କୌଣସି ୱେବପେଜରେ ବିଶ୍ବସନୀୟତାକୁ ପ୍ରମାଣିତ କରିବା ପାଇଁ ମଧ୍ୟ ଉପଭୋକ୍ତାଙ୍କ ଦ୍ବାରା ଏହି ଟୁଲ୍ର ବ୍ୟବହାର କରାଯାଏ ଏବଂ ଏସଇଓ ମ୍ୟାନେଜରମାନେ କୌଣସି ସମସ୍ୟା ପାଇଁ ନିଜ ସାଇଟ୍କୁ ଚେକ୍ କରିବାକୁ ଏହାର ବ୍ୟବହାର କରୁଥିଲେ। ଗତ ମାସରେ ଗୁଗଲ୍ ‘ସର୍ବୋତ୍ତମ ଉପଭୋକ୍ତା ଅଭିଜ୍ଞତା ପ୍ରଦାନ ଉପରେ ଧ୍ୟାନ ଦେବା ପାଇଁ’ ଗୁଗଲ୍ ଆସିଷ୍ଟାଣ୍ଟରେ କେତେକ କମ୍ ବ୍ୟବହୃତ ଫିଚରକୁ ହଟାଇ ଦେଇଥିଲା। କମ୍ପାନୀ ନିଜ ପୋଷ୍ଟରେ କହିଥିଲା ଯେ, ଗୁଗଲ ୧୭ଟି ଫିଚର୍ ହଟାଇ ଦେଇଛି।