ହୁଷ୍ଟନ,୧୯।୮ (ଭୟେସ ଅଫ୍ ଇଣ୍ଡିଆ) :-: ଆମେରିକାର ଟେକ୍ସାସ ରାଜ୍ୟର ହୁଷ୍ଟନଠାରେ ୯୦ ଫୁଟ ଉଚ୍ଚତାର ଶ୍ରୀ ହନୁମାନଙ୍କ ମୂର୍ତ୍ତି ପ୍ରତିଷ୍ଠା ହୋଇଛି। ଏହାକୁ ‘ଷ୍ଟାଚ୍ୟୁ ଅଫ ୟୁନିୟନ’ ନାମରେ ନାମିତ କରାଯାଇଛି। ଉତ୍ତର ଆମେରିକାର ଏହା ସର୍ବବୃହତ ମୂର୍ତ୍ତି। ଶ୍ରୀ ହନୁମାନ ହେଉଛନ୍ତି ଶୌର୍ଯ୍ୟ, ଭକ୍ତି ଏବଂ ନିଃସ୍ବାର୍ଥ ସେବାର ପ୍ରତୀକ। ଏହି ମୂର୍ତ୍ତିକୁ ଶ୍ରୀ ଚିନ୍ନାଜିୟାର ସ୍ବାମୀ ପ୍ରାଣ ପ୍ରତିଷ୍ଠା କରାଇଛନ୍ତି। ସ୍ବାମୀଜୀ ଏହି ମୂର୍ତ୍ତି ସ୍ଥାପନ ମାଧ୍ୟମରେ ଉତ୍ତର ଆମେରିକାରେ ଭାରତର ମହାନ ସଂସ୍କୃତିର ପରିପ୍ରସାର ଲାଗି ଉଦ୍ୟମ ଜାରି ରଖିଛନ୍ତି। ସୂଚନା ଯୋଗ୍ୟ ଯେ ଆଖୁ ଚାଷ ଲାଗି ପ୍ରସିଦ୍ଧ ଟେକ୍ସାସର ହୁଷ୍ଟନରେ ସ୍ବାମୀଜୀଙ୍କ ଦ୍ବାରା ଶ୍ରୀ ଅଷ୍ଟଲକ୍ଷ୍ମୀ ମନ୍ଦିର ପ୍ରତିଷ୍ଠା ହୋଇଛି। ମନ୍ଦିର ପରିସରରେ ନିର୍ମିତ ଏହି ବିଶାଳ ଏବଂ ଭବ୍ୟ ହନୁମାନଙ୍କ ମୂର୍ତ୍ତି ମାନବ ସମାଜ ଲାଗି କରୁଣା, ଆଶା ଓ ସାମର୍ଥ୍ୟର ପ୍ରତୀକ ଭାବେ ଉଭା ହୋଇଛି। ଭାରତୀୟ ଧର୍ମ ଓ ସଂସ୍କୃତି ପ୍ରତି ଆମେରିକା ଭଳି ପାଶ୍ଚାତ୍ୟ ରାଷ୍ଟ୍ରରେ କ୍ରମଶଃ ଆଗ୍ରହ ବଢ଼ିବାରେ ଲାଗିଛି ବୋଲି ଏହି ଅବସରରେ ସ୍ବାମୀଜୀ ସୂଚନା ଦେଇଛନ୍ତି।