ଭୁବନେଶ୍ୱର,୧୦ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ସମଗ୍ର ରାଜ୍ୟରେ ଆଦିବାସୀ ସମ୍ପ୍ରଦାୟର ସାମଗ୍ରିକ ବିକାଶରେ ଜନସାଧାରଣଙ୍କ ଅଂଶଗ୍ରହଣକୁ ପାଳନ କରି, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ଆଜି ସ୍ବତନ୍ତ୍ର ଉନ୍ନୟନ ପରିଷଦର ହିତାଧିକାରୀଙ୍କ ଏକ ମହା ସମାବେଶ ଅନୁଷ୍ଠିତ ହୋଇଯାଇଛି ।
ଆଦିବାସୀ ସଂସ୍କୃତିର ସଂରକ୍ଷଣ ତଥା ସେମାନଙ୍କ ପରିଚୟ ବଜାୟ ରଖିବା ପାଇଁ ଏସଡିସିର ସଫଳତା ଏବଂ ସେମାନଙ୍କର ଅନନ୍ୟ ହସ୍ତକ୍ଷେପକୁ ପାଳନ କରିବା ଲାଗି ସ୍ଥାନୀୟ ଆଦିବାସୀ ପ୍ରଦର୍ଶନୀ ପଡ଼ିଆରେ ଆୟଜିତ ଏହି କାର୍ଯ୍ୟକ୍ରମରେ ୧,୭୫୦ ହିତାଧିକାରୀଙ୍କ ସମେତ ୨୩ଟି ଏସଡିସିର ପ୍ରାୟ ୨,୦୦୦ ସଦସ୍ୟ ଅଂଶଗ୍ରହଣ କରିଥିଲେ।
ଏହି ମହା ସମାବେଶକୁ ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେ, ଏସଡିସି ଜରିଆରେ ଓଡ଼ିଶା ଏହି ନିଆରା ପଦକ୍ଷେପ ଗ୍ରହଣ କରିବା ସହ ଆଦିବାସୀ ସମ୍ପ୍ରଦାୟର ନୃତ୍ୟ, ସଙ୍ଗୀତ ଓ ପରିବେଶକୁ ସଂରକ୍ଷଣ କରିବାର ଗୌରବ ଅର୍ଜନ କରିଛି। ୧୩ଟି ଆଦିମ ଜନଜାତି ବା ପିଭିଟିଜି ସମେତ ୬୨ଟି ଆଦିବାସୀ ସମ୍ପ୍ରଦାୟର ସାମାଜିକ-ସାଂସ୍କୃତିକ ଆବଶ୍ୟକତାକୁ ପୂରଣ କରିବାରେ ଆମେ ଏସଡିସିମାନଙ୍କୁ ପୂର୍ଣ୍ଣ ସ୍ବାଧୀନତା ଦେଇଛୁ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାର ସାମଗ୍ରିକ ସଂସ୍କୃତିକୁ ଜନଜାତି କଳା ଓ ସଂସ୍କୃତି ସମୃଦ୍ଧ କରିଛି। ଏହାର ସଂରକ୍ଷଣ ଓ ପ୍ରସାର ପାଇଁ ରାଜ୍ୟ ସରକାର ଆହୁରି ଅନେକ ପଦକ୍ଷେପ ନେବେ ବୋଲି ସେ କହିଥିଲେ। ସେ କହିଥିଲେ ଯେ ୧୧ ହଜାରରୁ ଅଧିକ ପବିତ୍ର ପୁଜସ୍ଥଳିର ସଂରକ୍ଷଣ କରାଯାଇଛି। ଏହା ଏକ ବଡ ଉପଲବ୍ଧି। ଏହା ବ୍ୟତୀତ ବ୍ଲକ ଓ ଜିଲ୍ଲା ସ୍ତରରେ ୬୦୦ ରୁ ଅଧିକ କ୍ରୀଡା ଓ ସଂସ୍କୃତି ଉତ୍ସବର ମଧ୍ୟ ଆୟୋଜନ କରା ଯାଇଛି ବୋଲି ସେ କହିଥିଲେ। ୨୧ଟି ଦ୍ଵିଭାଷିକ dictionary ମଧ୍ୟ ପ୍ରସ୍ତୁତ କରାଯାଇଛି ବୋଲି ସେ କହିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ଆଦିବାସୀ ବାଦ୍ୟଯନ୍ତ୍ର ପ୍ରଦର୍ଶନୀକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଉଦଘାଟନ କରିବା ସହ ଓଡ଼ିଶାରେ ଉପସ୍ଥିତ ଥିବା ୧୩ଟି ପିଭିଟିଜି ସମ୍ପ୍ରଦାୟର ଦମ୍ପତିଙ୍କ ସହ ଫଟୋ ଉଠାଇଥିଲେ। ସଂସ୍କୃତିର ସଂରକ୍ଷଣ ଓ ପ୍ରଚାର ପ୍ରସାର ଦିଗରେ ଅବଦାନ ପାଇଁ କେନ୍ଦୁଝର ଦେବହୁଡ଼ିର “ହୋ ସମାଜ ସାଗନ ଅକଳାକୁ” ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ। ପ୍ରଥମ ଥର ପାଇଁ ମୁଖ୍ୟମନ୍ତ୍ରୀ ମୟୂରଭଞ୍ଜର ୭ଟି ‘ଜାହିରା’କୁ ସାମୁହିକ ଜଙ୍ଗଲ ଅଧିକାରରେ ପଟ୍ଟା ପ୍ରଦାନ କରିଥିଲେ।
ଏହାବ୍ୟତୀତ ମାଲକାନଗିରିର କୋୟା ଆଦିବାସୀ ଦଳ, କନ୍ଧମାଳର କୁଟିଆ କନ୍ଧ ଆଦିବାସୀ ଦଳର ସଦସ୍ୟମାନଙ୍କୁ ବାଦ୍ୟଯନ୍ତ୍ର ଓ ନବରଙ୍ଗପୁରର ଗଣ୍ଡ ଆଦିବାସୀ ଗୋଷ୍ଠୀକୁ ନୃତ୍ୟ ପୋଷାକ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ। ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ବିକାଶ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗର କମିଶନର ତଥା ସଚିବ ଏବଂ ୧୧୨ଟି ଟିଏସପି ବ୍ଲକ ସମ୍ପ୍ରଦାୟର ଅଂଶୀଦାରଙ୍କ ମଧ୍ୟରେ ଆଲୋଚନା ଆଧାରରେ ଭାଗିଦାରୀ ଶାସନ ଉପରେ ନିଆଯାଇଥିବା ପଦକ୍ଷେପର ସଂକ୍ଷିପ୍ତ ବିବରଣୀ ମୁଖ୍ୟମନ୍ତ୍ରୀ ‘ମୋ ପରିକଳ୍ପନା’ ରିପୋର୍ଟ ଉନ୍ମୋଚନ କରିଥିଲେ।
ଏହାବ୍ୟତୀତ ରାଜ୍ୟସ୍ତରୀୟ ପ୍ରଶାସନିକ ୟୁନିଟର ଗବେଷଣା ଦଳ ଦ୍ୱାରା ପ୍ରସ୍ତୁତ କଫି ଟେବୁଲ ପୁସ୍ତକ “Sacred Groves of Tribal Odisha”, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ସମରେନ୍ଦ୍ର ଭୁତିଆଙ୍କ “ସ୍ୱାଧୀନ ସଂଗ୍ରାମରେ ଓଡ଼ିଶାର ଜନଜାତି” ପୁସ୍ତକ, ଏସସିଏସଟିଆରଟିଆଇ ଦ୍ୱାରା ପ୍ରକାଶିତ ୧୭ଟି ଏମଏଲଇ ପ୍ରାଇମର୍ସ ଏବଂ ରାୟଗଡ଼ା ଏସଡିସି ଦ୍ୱାରା ଓଡ଼ିଆରେ ଅନୁବାଦିତ ୨୫ ଟି ସଉରା ଭାଷା ପୁସ୍ତକକୁ ମୁଖ୍ୟମନ୍ତ୍ରୀ ଉନ୍ମୋଚନ କରିଥିଲେ ।
କାର୍ଯ୍ୟକ୍ରମରେ ଯୋଗ ଦେଇ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ବିଭାଗ ମନ୍ତ୍ରୀ ଶ୍ରୀ ଜଗନ୍ନାଥ ସାରକା କହିଲେ ଓଡ଼ିଶା ହେଉଛି ଦେଶର ଏକମାତ୍ର ରାଜ୍ୟ ଯେଉଁଠାରେ ଜନଜାତି ଐତିହ୍ୟ ଓ ପରମ୍ପରା ର ସୁରକ୍ଷା କରାଯାଉଛି। ମୁଖ୍ୟମନ୍ତ୍ରୀଙ୍କର ଜନ ଜାତି କଳା ଓ ସଂସ୍କୃତି ପ୍ରତି ଆନ୍ତରିକ ଭଲ ପାଇବା ଓ ନିଷ୍ଠା ଅଛି ବୋଲି ସେ କହିଥିଲେ।