ଭୁବନେଶ୍ୱର,୨୨ା୦୧ (ଭୟୋସ ଅଫ୍ ଇଣ୍ଡିଆ) :- ନେମାଳ ମହାପୁରୁଷ ଅଚ୍ୟୁତାନନ୍ଦ ମହାବିଦ୍ୟାଳୟ ଓ ମହାପୁରୁଷ ଅଚ୍ୟୁତାନନ୍ଦ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆନୁକୂଲ୍ୟରେ ‘ବିଶ୍ୱ ଓଡିଆ ଭାଷା ସମ୍ମିଳନୀ’ ଆୟୋଜନ ଏବଂ ଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଓଡିଆ ଭାଷା ସାହିତ୍ୟ ଓ ଶ୍ରୀ ଜଗନ୍ନାଥ ସଂସ୍କୃତିଆଧାରିତ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଶଙ୍କର ପ୍ରସାଦ ନାୟକଙ୍କ ଅଧକ୍ଷତାରେ ଅନୁଷ୍ଠିତ ଏହି ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ହୃଦାନନ୍ଦ ସ୍ମାରକୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ ଲକ୍ଷ୍ମଣ କୁମାର ଦାସ ଯୋଗଦେଇ ଜଗନ୍ନାଥ ସଂସ୍କୃତିରେ ଜୀବନଧାରଣାର ବିଭିନ୍ନ ଦିଗ ଲୋକମାନଙ୍କ ଜୀବନ ସମ୍ପର୍କରେ ବିଷଦ ଆଲୋଚନା କରିଥିଲେ । ମୁଖ୍ୟ ବକ୍ତା ଭାବେ ଶ୍ରୀ ଜଗନ୍ନାଥ ବିଶ୍ୱ ଭାତୃତ୍ୱ ପରିବାର ସେବା ସଂଘ ପ୍ରତିଷ୍ଠାତା ପ୍ରାଧ୍ୟାପକ ବିପିନ ବିହାରି ଦାସ ଯୋଗଦେଇ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସକଳ ମାନବବାଦ ତଥା ମାନବ ଜାତିର ଅସ୍ମିତାର ପ୍ରତୀକ ବୋଲି ମତପୋଷଣ କରିବା ସହିତ ଜନମାନସରେ ଚେତନା ଜାଗ୍ରତ ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ନିତ୍ୟାନ୍ତ ଅପରିହାର୍ଯ୍ୟ ବୋଲି ଉଦ୍ବୋଧନ ଦେଇଥିଲୋ । ସମ୍ମାନିତ ଅତିଥି ଭାବେ କଲେଜ ପ୍ରଶାସନିକ ଅଧିକାରୀ ତଥା ଓଡିଆ ବିଭାଗର ମୁଖ୍ୟ ପ୍ରାଧ୍ୟାପକ ଗଗନ ବିହାରି ଦାସ ଯୋଗଦେଇ ଓଡିଆ ଭାଷାର ଉତ୍କର୍ଷତା ସମ୍ପର୍କରେ ଆଲୋକପାତ କରିବା ସହ ଓଡିଆ ଭାଷାର ସୀମା ଓ ସମ୍ଭାବନା ଯଥେଷ୍ଟ ଅଧିକ ବୋଲି ମତବ୍ୟକ୍ତ କରିଥିଲେ । ଯୁକ୍ତ ତିନି ନୋଡାଲ ଅଧିକାରୀ ଅଧ୍ୟାପକ ଚିତରଞ୍ଜନ ଜେନା ମଞ୍ଚ ପରିଚାଳନା ଓ ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଯୁକ୍ତ ଦୁଇ ନୋଡାଲ ଅଧିକାରୀ ଅଧ୍ୟାପକ ନନ୍ଦନନ୍ଦନ ବସନ୍ତିଆ ଅତିଥି ପରିଚୟ ପ୍ରଦାନ କରିଥିଲେ । ଶେଷରେ ଅଧ୍ୟାପିକା ବିଜୟଲକ୍ଷ୍ମୀ ସାମଲ ଧନ୍ୟବାଦ ଅର୍ପଣ କରିଥିଲେ ।