
ଗୋପାଳପୁର: ରଙ୍ଗେଇଲୁଣ୍ଡା ବ୍ଲକ ଅଧିନସ୍ଥ ପ୍ରାୟ ସମସ୍ତ ପଞ୍ଚାୟତରେ ଶତାଧିକ ଏକର ଚାଷଜମିରେ ‘ମିଗଜୋନ’ ପ୍ରଭାବରେ ବର୍ଷା ଜଳ ଭରି ରହିଥିବାରୁ ଚଳିତ ବର୍ଷ ପୁଣିଥରେ ଧାନ ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଛି। ପୂର୍ବରୁ ନିଅଣ୍ଟିଆ ବର୍ଷା ସହ କେନାଲରେ ପର୍ଯ୍ୟାପ୍ତ ପରିମାଣର ପାଣି ଚାଷ କ୍ଷେତକୁ ମିଳି ପାରିନଥିବାରୁ ଅନେକ ସ୍ଥାନରେ ଫସଲ ନଷ୍ଟ ହୋଇଥିବା ବେଳେ ଏବେ ଅଦିନିଆ ବର୍ଷା ଯୋଗୁଁ ଅଧିକାଂଶ ଅଞ୍ଚଳରେ ଶହଶହ ଏକର ଧାନ ଚାଷ ନଷ୍ଟ ହେବା ଚାଷୀମାନେ ଅଭିଯୋଗ କରିଛନ୍ତି। ବ୍ଲକ କୃଷି ବିଭାଗର ବିଭାଗୀୟ ଆକଳନ ଅନୁଯାୟୀ ଚଳିତବର୍ଷ ୮୯୭୦ ହେକ୍ଟର ଜମିରେ ଧାନଚାଷ କରାଯାଇଥିଲା। ନିଅଣ୍ଟିଆ ବର୍ଷା ଯୋଗୁଁ ଉପରମୁଣ୍ଡ ଏବଂ କେନାଲଠାରୁ ଦୂରେଇ ରହିଥିବା ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଗାଁରେ ପ୍ରାୟ ୧୦୦ ହେକ୍ଟର ଜମିରେ ଧାନ ଫସଲ ନଷ୍ଟ ହୋଇଥିବା ବେଳେ ସେଠାରେ ଗାଈ, ମଇଁଷି ଚରିବାକୁ ଛାଡି ଦିଆଯାଇଥିଲା। ଏବେ ମଙ୍ଗଳବାର ରାତିରୁ ଆରମ୍ଭ ହୋଇଥିବା ବର୍ଷା ଯୋଗୁଁ କ୍ଷେତରେ କଟା ଯାଇ ରଖାଯାଇଥିବା ଧାନଗୁଡ଼ିକ ନଷ୍ଟ ହେବା ସହ ସାପୁଆ, ବାହାନା ଓ ଘଡକା ନାଳ କଡ଼ରେ ରହିଥିବା ୩୩ ଖଣ୍ଡ ଗାଁର ପ୍ରାୟ ୨ ହଜାର ହେକ୍ଟର ଚାଷଜମିରେ ବର୍ଷା ଜଳ ପସି ଫସଲ ନଷ୍ଟ ହେବା ଆଶଙ୍କା ବଢ଼ି ଯାଇଥିବା କୋଳଥିଗାଁର ଚାଷୀ ହରିହର ପାତ୍ର ପ୍ରକାଶ କରିଛନ୍ତି।