ଭୁବନେଶ୍ବର-୨୭ା୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ)- ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ ୫-ଟି ତଥା ନବୀନ ଓଡ଼ିଶା ଅଧ୍ୟକ୍ଷ ଶ୍ରୀ ଭି କେ ପାଣ୍ଡିଆନ ଆଜି ପ୍ରତ୍ୟୁଷରୁ ପୁରୀ ଶ୍ରୀ ମନ୍ଦିର ପରିଦର୍ଶନ କରି ପରିକ୍ରମା ପ୍ରକଳ୍ପ ସମୀକ୍ଷା କରିବା ସହିତ ଭକ୍ତ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ପାଇଁ କେତେକ ନିର୍ଦ୍ଦେଶ ଓ ପରାମର୍ଶ ଦେଇଛନ୍ତି। ଆଜି ପ୍ରତ୍ୟୁଷ ୫ ଟା ଠାରୁ ୭ ଟା ପର୍ଯ୍ୟନ୍ତ ସେ ସମୀକ୍ଷା କରିଥିଲେ ଓ ଆବଶ୍ୟକ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ସୁବ୍ୟବସ୍ଥିତ ଦର୍ଶନ ସମ୍ପର୍କରେ ଜଗନ୍ନାଥ ମନ୍ଦିର ପ୍ରଶାସନ କାର୍ଯ୍ୟାଳୟରେ ଏକ ଉପସ୍ଥାପନା ରଖା ଯାଇଥିଲା। ଭିଡ଼ ପରିଚାଳନାକୁ ଦକ୍ଷ କରିବା, ଭକ୍ତ ମାନଙ୍କ ପାଇଁ ଦର୍ଶନ ବ୍ୟବସ୍ଥାକୁ ସହଜ କରିବା ଉପରେ ଶ୍ରୀ ପାଣ୍ଡିଆନ ଗୁରୁତ୍ଵ ଆରୋପ କରିଥିଲେ। ଏହା ସହିତ ପରିକ୍ରମା ପ୍ରକଳ୍ପ ଠିକ୍ ସମୟରେ ଶେଷ କରିବା ପାଇଁ ସେ ଗୁରୁତ୍ଵ ଦେଇ କେତେକ ନିର୍ଦ୍ଦେଶ ଦେଇଥିଲେ।

ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ମଠ ଗୁଡିକର ପୁନରୁଦ୍ଧାର କାମ ତ୍ୱରାନ୍ୱିତ କରିବା ପାଇଁ ୫-ଟି ଓ ନବୀନ ଓଡିଶା ଅଧକ୍ଷ ନିର୍ଦ୍ଦେଶ ଦେଇଥିଲେ। ମଠ ପୁନ ନିର୍ମାଣ ପାଇଁ ଅଧିକ ସଂଖ୍ୟକ ଦକ୍ଷ କାରିଗର ନିଯୁକ୍ତ କରିବାକୁ ଶ୍ରୀ ପାଣ୍ଡିଆନ୍ ପରାମର୍ଶ ଦେଇଥିଲେ। ସେବାୟତ ମାନଙ୍କ ସୁବିଧା ପାଇଁ ଦୁଇ ଚକିଆ ଗାଡି ର ପାର୍କିଂ ପାଇଁ ପର୍ଯ୍ୟାପ୍ତ ବ୍ୟବସ୍ଥା କରିବାକୁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ।

ପରିକ୍ରମା ପ୍ରକଳ୍ପ ର ଦକ୍ଷିଣ, ପଶ୍ଚିମ ଓ ଉତ୍ତର ଦିଗରେ ହୋଇଥିବା ଲ୍ୟାଣ୍ଡସ୍କେପିଂ କାମ ପ୍ରଦର୍ଶନ କରି ଏହାକୁ ତ୍ବରାନ୍ବିତ କରିବାକୁ ପରାମର୍ଶ ଦେଇଥିଲେ।

ଏତବ୍ୟତୀତ ମେଘନାଦ ପାଚେରୀ ନିକଟରେ ସବୁ ଇଲେକ୍ଟ୍ରିକାଲ କାମକୁ ଶୀଘ୍ର ସାରିବାକୁ ସେ ପରାମର୍ଶ ଦେଇଥିଲେ । ସେଠାରେ ଥିବା ବିଭିନ୍ନ ପୋଲ୍, ତାର ଓ ଅନ୍ୟାନ୍ୟ ସେବା ବ୍ୟବସ୍ଥାକୁ ଶୀଘ୍ର ସ୍ଥାନାନ୍ତର କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ।

ମେଘନାଦ ପାଚେରୀ ନିକଟରେ ଥିବା ଐତିହ୍ୟ ସମ୍ପନ୍ନ ଛୋଟ ଛୋଟ ମନ୍ଦିର ଓ ନିର୍ମାଣକୁ ସୁରକ୍ଷିତ ରଖିବା ପାଇଁ ସେ ନିର୍ଦ୍ଦେଶ ଦେଇଥିଲେ।

ମହାପ୍ରଭୁଙ୍କ ଦର୍ଶନ ପାଇଁ ଆସୁଥିବା ଯାତ୍ରୀ ମାନେ ଯେପରି ସ୍ବଚ୍ଛନ୍ଦରେ ମନ୍ଦିର ରେ ପହଞ୍ଚି ପାରିବେ ସେଥିପାଇଁ ମନ୍ଦିର ସଂଯୁକ୍ତ ରାସ୍ତା କୁ ଅବରୋଧ ମୁକ୍ତ ରଖିବା ପାଇଁ ବଡ଼ ଦାଣ୍ଡ ଓ ଓଭର ଟ୍ୟାଙ୍କ  ନିକଟରେ ଥିବା ଅନାବଶ୍ୟକ ନିର୍ମାଣକୁ ଦୂର କରିବା ପାଇଁ ଶ୍ରୀ ପାଣ୍ଡିଆନ୍ ନିର୍ଦ୍ଦେଶ ଦେଇଥିଲେ ।

ଏଫ୍ଲ୍ୟୁଏଣ୍ଟ ଟ୍ରିଟମେଣ୍ଟ ପ୍ଲାଣ୍ଟ, ପରିମଳ ବ୍ୟବସ୍ଥାର ଉନ୍ନତି କାମ ଠିକ୍ ସମୟରେ ସରିବା ଉପରେ ସେ ଗୁରୁତ୍ବ ଆରୋପ କରିଥିଲେ। ଏହି ପରିଦର୍ଶନ ସମୟରେ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସ, ପୁରୀ ଜିଲ୍ଲାପାଳ, ଆଇଜି, ଏସପି, ଓବିସିସି, ଏମଡି ଏବଂ ବିଭିନ୍ନ ଏକଜ୍ୟୁକୁଟିଂ ଏଜେନ୍ସିର ଅଧିକାରୀ ମାନେ ଉପସ୍ଥିତ ଥିଲେ.

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *