
ଭୁବନେଶ୍ୱର,୩।୯(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :- ବହୁ ଚର୍ଚ୍ଚିତ ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ ଘଟଣାରେ ସାକ୍ଷ୍ୟ ଗ୍ରହଣ ହୋଇଛି। ଘଟଣାକୁ ୬ବର୍ଷ ପୂରିଥିଲେ ମଧ୍ୟ କୋର୍ଟରେ ଏହାର ଶୁଣାଣି ଚାଲିଛି। ଆଜି ପାଟଣାଗଡ଼ ଏଡିଜେ କୋର୍ଟରେ ଆଇପିଏସ ଅରୁଣ ବୋଥ୍ରାଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଛି। ୬୦ନଂ ସାକ୍ଷୀ ଭାବରେ ଅରୁଣ ବୋଥ୍ରା ସାକ୍ଷ୍ୟ ପ୍ରଦାନ କରିଛନ୍ତି। ଏହି ସମୟରେ କୋର୍ଟରେ ସରକାରୀ ଓକିଲ ଓ ମୁଖ୍ୟ ଅଭିଯୁକ୍ତ ପୁଞ୍ଜିଲାଲଙ୍କ ଓକିଲ ଉପସ୍ଥିତ ଥିଲେ। ତେବେ କୋର୍ଟରେ କଣ ଶୁଣାଣି ହୋଇଛି ତାହାର ସ୍ପଷ୍ଟ ସୂଚନା ମିଳିନାହିଁ। ବିସ୍ଫୋରଣ ଘଟଣାର ତଦନ୍ତ କରୁଥିଲେ ଅରୁଣ ବୋଥ୍ରା। ବିସ୍ଫୋରଣରେ ନବବଧୂଙ୍କ ସ୍ୱାମୀ ଓ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା।
୨୦୧୮ ମସିହାରେ ଏହି ଚର୍ଚ୍ଚିତ ପାର୍ସଲ ବୋମା ବିସ୍ଫୋରଣ ଘଟିଥିଲା। ପାଟଣାଗଡ଼ ସହରର ଅଧ୍ୟାପକ ରବୀନ୍ଦ୍ର ସାହୁଙ୍କ ଘରକୁ ପୁଅ ବାହାଘରରେ ଆସିଥିବା ଏକ ପାର୍ସଲରେ ବୋମା ଥିବାରୁ ଏହାକୁ ଖୋଲିବା ମାତ୍ରେ ବିସ୍ଫୋରଣ ଘଟିଥିଲା। ଏଥିରେ ରବୀନ୍ଦ୍ରଙ୍କ ନବବିବାହିତ ପୁଅ ସୌମ୍ୟଶେଖର ଏବଂ ଜେଜେମାଆଙ୍କ ମୃତ୍ୟୁ ହୋଇଥିଲା। ସୌମ୍ୟଶେଖରଙ୍କ ପତ୍ନୀ ରିମାରାଣୀ ଗୁରୁତର ଆହତ ହୋଇ ଦୀର୍ଘ ଦିନ ଧରି ଚିକିତ୍ସାଧୀନ ହେବା ପରେ ସୁସ୍ଥ ହୋଇଥିଲେ। ଏହି ଘଟଣା ସେତେବେଳେ ରାଜ୍ୟ ତଥା ରାଜ୍ୟ ବାହାରେ ହଇଚଇ ସୃଷ୍ଟି କରିଥିଲା।