ନିଶ୍ଚିନ୍ତକୋଇଲି ,୨୭ା୧୧ (ଭୟେସ ଅଫ୍ ଇଣ୍ଡିଆ/ପ୍ରମୋଦ ଦାସ)-: ଭାରତକୁ ଏକ ସାର୍ବଭୌମ୍ୟ, ସମାଜବାଦୀ, ଧର୍ମନିରପେକ୍ଷ, ଗଣତାନ୍ତ୍ରିକ, ସାଧାରଣତନ୍ତ୍ର ରୂପେ ଗଠନ କରିବାର ଲକ୍ଷ୍ୟ ନେଇ ଚିନ୍ତା, ଅଭିବ୍ୟକ୍ତି, ପ୍ରତ୍ୟୟ, ଧର୍ମୀୟ ବିଶ୍ୱାସ ଉପାସନାର ସ୍ୱତନ୍ତ୍ରତା, ସ୍ଥିତି ଓ ସୁବିଧା ସୁଯୋଗର ସମାନତାର ସୁରକ୍ଷା ସହ ବ୍ୟକ୍ତି ମର୍ଯ୍ୟଦା ରକ୍ଷା କରି ଭାତୃଭାବ ସୃଷ୍ଟି କରିବା ଲକ୍ଷ୍ୟରେ ସମ୍ବିଧାନ ଦିବସ ଅଭିପ୍ରେତ ବୋଲି ବକ୍ତାମାନେ ସମ୍ବିଧାନ ଦିବସ ଅବସରରେ ମତବ୍ୟକ୍ତ କରିଛନ୍ତି । ନିଶ୍ଚିନ୍ତକୋଇଲି ବ୍ଳକ ନତକାଇସ୍ଥ ଚକ୍ରଧର ମେମୋରିଆଲ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ଉକ୍ତ ଦିବସରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ହରେକୃଷ୍ଣ ବେହେରା ଅଧ୍ୟକ୍ଷତା କରିଥିଲେ । ଅନୁଷ୍ଠିତ ଉକ୍ତ ଆଲୋଚନା ଚକ୍ରକୁ ପ୍ରାକ୍ତନ ଅତିରିକ୍ତ ମଣ୍ଡଳ ଶିକ୍ଷାଧିକାରୀ ନାରାୟଣ ରାଉତ ଉଦ୍ଘାଟନ କରି ସମସ୍ତେ ସମ୍ବିଧାନର ମୂଲ୍ୟବୋଧକୁ ସମ୍ମାନ ଦେବାକୁ ମତବ୍ୟକ୍ତ କରିଥିଲେ । ମୁଖ୍ୟ ଅତିଥି ଭାବେ ଜାତୀୟ ପୁରସ୍କାରପ୍ରାପ୍ତ ପରିବେଶବିତ୍ ପ୍ରମୋଦ କୁମାର ଦାଶ ସମ୍ବିଧାନର ସମସ୍ତ ଧାରାକୁ ସର୍ବସାଧାରଣରେ ଆବାଳ ବୃଦ୍ଧ ବନିତା ତ୍ୱରିତ କରାଇ ଦେଶରେ ଶାନ୍ତି, ପ୍ରଗତି ଓ ସମୃଦ୍ଧିକୁ ନିଶ୍ଚିନ୍ତ କରାଇବାକୁ ଆହ୍ୱାନ ଦେଇଥିଲେ । ସମ୍ମାନୀତ ଅତିଥି ଭାବେ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପ୍ରଭାତ କୁମାର ବସ୍ତିଆ, ସହକାରୀ ଶିକ୍ଷକ ନିମାଇଁ ଚରଣ ସାହୁ, ସହକାରୀ ଶିକ୍ଷୟିତ୍ରୀ ନିରୁପମା ସାହୁ, ସସ୍ମିତା ସାହୁ, ପ୍ରମୁଖ ଯୋଗଦାନ କରି ସମ୍ବିଧାନ ଦିବସର ତାତ୍ପର୍ଯ୍ୟ ସଂପର୍କରେ ବୁଝାଇଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ପରିଚାଳନା କମିଟି ଉପସଭାପତି ସୁମିତ୍ରା ଦଳାଇ, ଶିକ୍ଷୟିତ୍ରୀ ପ୍ରିୟଲକ୍ଷ୍ମୀ ପାଣିଗ୍ରାହୀ, ସ୍ମୃତିଶ୍ରୀ ବେହେରା, ସକ୍ରିୟ ସହଯୋଗ କରିଥିଲେ । ପ୍ରାରମ୍ଭରେ ବିଦ୍ୟାଳୟର ଛାତ୍ର ଛାତ୍ରୀମାନଙ୍କୁ ସମ୍ବିଧାନ ସଂପର୍କିତ ସାମୁହିକ ଶପଥପାଠ କରାଯାଇଥିଲା । ଶେଷରେ ସହକାରୀ ଶିକ୍ଷୟିତ୍ରୀ ଜୟଶ୍ରୀ ଶତପଥି ଧନ୍ୟବାଦ ପ୍ରଦାନ କରିଥିଲେ । କାର୍ଯ୍ୟକ୍ରମରେ ସମସ୍ତ ଛାତ୍ର ଛାତ୍ରୀଙ୍କ ସହ ସ୍ଥାନୀୟ ଅଭିଭାବକମାନେ ଯୋଗଦାନ କରିଥିଲେ ।