ନିଶ୍ଚିନ୍ତକୋଇଲି ,୨୦ା୧୦(ଭୟେସ ଅଫ୍ ଇଣ୍ଡିଆ/ପ୍ରସାନ୍ତ ସି ) : ଓଡ଼ିଶା ସିଭିଲ୍ ସର୍ଭିସ୍ (ଓସିଏସ୍) ପରୀକ୍ଷାର ଫଳାଫଳ ପ୍ରକାଶ ପାଇଛି। ଏହି ପରୀକ୍ଷାରେ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ବ୍ଲକ୍ ତଥା ନେମାଳ ଥାନା ଅନ୍ତର୍ଗତ ନଗସପୁର ପଞ୍ଚାୟତ ନଗସପୁର ଗ୍ରାମର ଦେବୀପ୍ରସନ୍ନ ଷଡ଼ଙ୍ଗୀ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଛନ୍ତି। ଶିକ୍ଷକ ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ଓ ଶିକ୍ଷୟିତ୍ରୀ ସୁଚିତା ଦାଶଙ୍କ ସାନପୁଅ ଦେବୀପ୍ରସନ୍ନ ୨୦୧୩ରେ ନିକଟସ୍ଥ ଜୟନ୍ତୀ ବିଦ୍ୟାପୀଠରୁ ମାଟ୍ରିକ୍ ପାସ କରି ସାଲେପୁର କଲେଜ୍ରେ ଅଧ୍ୟୟନ କରିଥିଲେ । ସେ ଦିନକୁ ୫ରୁ ୬ ଘଣ୍ଟା ପାଠ ପଢ଼ିବା ସହିତ ସିଭିଲ୍ ସର୍ଭିସ୍ ପରୀକ୍ଷା ନିମନ୍ତେ ନିଜକୁ ପ୍ରସ୍ତୁତ କରୁଥିଲେ । ଏହି ସଫଳତା ପାଇଁ ଦେବୀପ୍ରସନ୍ନ ବାପା, ମା’ଓ ପରିବାରକୁ ଶ୍ରେୟ ଦେଇଛନ୍ତି। ଜୟନ୍ତୀ ବିଦ୍ୟାପୀଠର ପ୍ରତିଷ୍ଠାତା ସାହିତ୍ୟିକ ଡକ୍ଟର ଗୋବିନ୍ଦ ଭୂୟାଁ ଓ ଶାସ୍ ଅନୁଷ୍ଠାନର ପ୍ରତିଷ୍ଠାତା ସାମ୍ବାଦିକ ବିନୟ କୁମାର ଦାସ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ଓସିଏସ୍ ପରୀକ୍ଷାରେ ଦେବୀପ୍ରସନ୍ନ ସଫଳତା ହାସଲ କରିଥିବା ଜଣାପଡ଼ିବା ପରେ ନଗସପୁର ଗ୍ରାମ ଓ ବିଦ୍ୟାଳୟରେ ଆନନ୍ଦର ଲହରୀ ଖେଳିଯାଇଛି।