January 29, 2025

ଭୁବନେଶ୍ୱର,୭ା୦୨ (ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :-ହୃଦୟ ସହ ଜଡିତ ରୋଗ ଓ ସମସ୍ୟା ଦିନକୁ ଦିନ ବୃଦ୍ଧି ହେଉଥିବା ଦେଖାଯାଉଛି। ଏଥିରେ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି। ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମତାନୁଯାୟୀ, ହୃଦୟଜନିତ ରୋଗ କାରଣରୁ ପ୍ରତ୍ୟେକ ବର୍ଷ ୧.୭୯ କୋଟି ଲୋକଙ୍କ ମୃତ୍ୟୁ ହେଉଛି। ଏହି ସଂଖ୍ୟା ଦୁନିଆରେ ପ୍ରତ୍ୟେକ ବର୍ଷ ହେଉଥିବା ମୋଟ ମୃତ୍ୟୁର ପ୍ରାୟ ୩୧ ପ୍ରତିଶତ। ଚିନ୍ତାର ବିଷୟ ହେଉଛି ଏହି ମୃତ୍ୟୁରେ ପ୍ରାୟ ୮୫ ପ୍ରତିଶତ ମୃତ୍ୟୁ ୨ଟି ମୁଖ୍ୟ କାରଣରୁ ହେଉଛି। ପ୍ରଥମଟି ହେଉଛି ହାର୍ଟ ଆଟାକ୍‌‌ ଓ ଷ୍ଟ୍ରୋକ୍‌‌। ୨ଟି ହୃଦୟ ଜନିତ ରୋଗ। ତେବେ ଏହାର ଲକ୍ଷଣକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ସାମ୍ନାକୁ ଆଣିଛି। ଏସବୁ ସମସ୍ୟା ହେଉଥିଲେ ଅଣଦେଖା କରନ୍ତୁ ନାହିଁ। ଜାଣନ୍ତୁ..
ହାର୍ଟ ଆଟାକ୍‌‌ର ଲକ୍ଷଣ –
ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ ଜାରି ହୋଇଥିବା ତାଲିକା ମଧ୍ୟରେ ଛାତିର ମଝି ଭାଗରେ ଯନ୍ତ୍ରଣା ହେବା ସହ ଅଣନିଶ୍ୱାସୀ ଲାଗିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ଏହା ହାର୍ଟ ଆଟାକ୍‌‌ର ଲକ୍ଷଣ ହୋଇପାରେ।
ବାମ କାନ୍ଧ,କହୁଣି, ହାଡଗଣ୍ଠି ଯନ୍ତ୍ରଣା, ବେକରେ ଯନ୍ତ୍ରଣା ହେବା ସହ ବ୍ୟସ୍ତତା ଅନୁଭବ ହେଉଥିଲେ, ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଉଚିତ।
ନିଶ୍ୱାସପ୍ରଶ୍ୱାସ ନେବାରେ ସମସ୍ୟା ହେବା ମାତ୍ରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ନିୟମିତ ଭାବେ ମୁଣ୍ଡ ବୁଲାଉଥିଲେ, ହଠାତ୍‌‌ ଚେତାଶୂନ୍ୟ ହୋଇଯାଉଥିଲେ କିମ୍ବା ସେଭଳି ଅନୁଭବ କରୁଥିଲେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ।
ଶରୀର ଥଣ୍ଡା ଥାଇ ମଧ୍ୟ ହଠାତ୍‌‌ ଥଣ୍ଡା ଝାଳ ଶରୀରରୁ ନିର୍ଗତ ହେଲେ, ଶରୀର ହଳଦିଆ ରଙ୍ଗ ଭଳି ଦେଖାଯିବାର ଅର୍ଥ ଶରୀରରେ ସଠିକ୍‌‌ ଭାବେ ରକ୍ତ ସଞ୍ଚାଳନ ନହେବା। ଏଭଳି ହେଉଥିଲେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। ହେଳା କରନ୍ତୁ ନାହିଁ।
ଷ୍ଟ୍ରୋକ୍‌‌ର ଲକ୍ଷଣ –
ହଠାତ୍‌‌ ଦୁର୍ବଳ ଅନୁଭବ କଲେ, ହାତ,ଗୋଡ କିମ୍ବା ଶରୀରର କୌଣସି ନିର୍ଦ୍ଦିଷ୍ଟ ସ୍ଥାନରେ ଅତ୍ୟଧିକ ଯନ୍ତ୍ରଣା ଅନୁଭବ କଲେ, ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।
ସବୁ ସମୟରେ ଦ୍ୱନ୍ଦ୍ୱ ଲାଗି ରହିବା ସହ ସହଜରେ କୌଣସି କଥାକୁ ବୁଝି ନପାରିବା। କଥା କହିବା ସମୟରେ ସମସ୍ୟା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।
ନିୟମିତ ଆଖିରେ ଯନ୍ତ୍ରଣା ସହ ଦେଖିବାରେ ସମସ୍ୟା।
ଚାଲିବାରେ ସମସ୍ୟା ଓ ଯନ୍ତ୍ରଣା, ସଠିକ ଭାବେ ନ ଚାଲି ପାରିବା, ଚାଲିବା ସମୟରେ ମୁଣ୍ଡ ବୁଲାଇବା ଭଳି ଅନୁଭବ ହେବା।
ଛାତିରେ ଯନ୍ତ୍ରଣା ସହ ହଠାତ୍‌‌ ମୁଣ୍ଡରେ ଖୁବ ଜୋରରେ ଯନ୍ତ୍ରଣା ହେବା ମଧ୍ୟ ଷ୍ଟ୍ରୋକ୍‌‌ର ଲକ୍ଷଣ ହୋଇପାରେ।

Leave a Reply

Your email address will not be published. Required fields are marked *