ଭୁବନେଶ୍ୱର,୨୮।୧୧(ଭୟେସ ଅଫ୍ ଇଣ୍ଡିଆ/ବିନୟ କୁମାର ଦାସ) :– କାର୍ଯ୍ୟରେ ଯୋଗ ଦେଇଛନ୍ତି ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା କାର୍ତ୍ତିକେୟନ। ଚଳିତ ନିର୍ବାଚନରେ ବିଜେଡିର ଶୋଚନୀୟ ପରାଜୟ ପରେ ଭାଜପା ଓଡ଼ିଶାରେ କ୍ଷମତା ହାତେଇଛି। ତେବେ ପୂର୍ବ ସରକାରରେ ପାଓ୍ବାରଫୁଲ ଆଇଏଏସ ଅଧିକାରୀ ସୁଜାତା ଭାଜପା ସରକାର ଆସୁ ଆସୁ ୬ମାସ ଛୁଟିରେ ଚାଲି ଯାଇଥିଲେ। ପୂର୍ବ ସରକାରରେ କାର୍ତ୍ତିକ ପାଣ୍ଡିଆନଙ୍କ ଖୁବ୍ ବଳିଷ୍ଠ ଭୂମିକା ରହିଥିଲା। ଆଇଏଏସ୍ ଅଧିକାରୀ ଭାବେ ସେ କାର୍ଯ୍ୟ କରିବା ପରେ ଭିଆରଏସ୍ ନେଇ ରାଜନୀତିରେ ସକ୍ରିୟ ହୋଇଥିଲେ। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆନୁଗତ୍ୟ ଓ ବିଜେଡିର ସର୍ବେସର୍ବା ଭାବେ ସେ ଉଭା ହୋଇଥିଲେ। ତେବେ ତାଙ୍କ ସ୍ତ୍ରୀ ଭାବେ ସୁଜାତାଙ୍କର ମଧ୍ୟ ଦବ୍ଦବା ରହିଥିଲା। ସୁଜାତା ବିଜେଡି ସରକାରଙ୍କ ମିଶନ ଶକ୍ତି ସହ ପ୍ରମୁଖ ଦାୟିତ୍ୱ ସମ୍ଭାଳିଥିଲେ। ତେବେ ଚଳିତ ନିର୍ବାଚନରେ ସେତେବେଳର ବିରୋଧୀ ଥିବା ଭାଜପା ତାଙ୍କ ବିରୋଧରେ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହୋଇଥିଲେ। ଭାଜପା ଅଭିଯୋଗ କରିଥିଲା କି, ପ୍ରଶାସନିକ ପଦରେ ଥାଇ ସେ ନିର୍ଦ୍ଧିଷ୍ଟ ସରକାରୀ ଦଳ ପାଇଁ ପ୍ରଚାର କରୁଥିଲେ।
ତେବେ ଦୀର୍ଘ ୬ମାସର ଛୁଟି ପରେ ନଭେମ୍ବର ୨୭ରେ କାର୍ଯ୍ୟରେ ଯୋଗ ଦେଇଛନ୍ତି ସୁଜାତା କାର୍ତ୍ତିକେୟନ। କିନ୍ତୁ ଏହାପୂର୍ବରୁ ସେ ଆହୁରି ୬ମାସ ଛୁଟି ନେବାକୁ ଆବେଦନ କରିଥିଲେ। କିନ୍ତୁ ସରକାର ତାଙ୍କ ଆବେଦନକୁ ଖାରଜ କରିଦେଇଥିଲେ। ତେଣୁ ତାଙ୍କୁ ବୁଧବାର କାର୍ଯ୍ୟରେ ଯୋଗ ଦେବାକୁ ପଡିଛି। ୨୦୦୦ବ୍ୟାଚ୍ର ଆଇଏଏସ ଅଧିକାରୀ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ସମ୍ଭାଳିଛନ୍ତି। ତେବେ ସେ ଯୋଗଦେବା ପରେ ଏବେ ବଡ଼ ପ୍ରଶ୍ନ ଉଠୁଛି ଯେ, ସୁଜାତାଙ୍କ ବିରୋଧରେ ଚଳିତ ନିର୍ବାଚନରେ ନିର୍ବାଚନ କମିଶନରଙ୍କ ପାଖରେ ଫେରାଦ ହୋଇଥିବା ଭାଜପା ଏବେ କ’ଣ ତାଙ୍କୁ ଗୁରୁ ଦାୟିତ୍ୱ ଦେଇପାରିବ? ମୋହନ ସରକାର କ’ଣ ତାଙ୍କ ଉପରେ ସେତିକି ବିଶ୍ୱସନୀୟତା ରଖିପାରିବେ? କାର୍ତ୍ତିକ ପାଣ୍ଡିଆନଙ୍କ ସ୍ତ୍ରୀ ସୁଜାତା ବିଜେଡି ସରକାର ତଥା ପାଓ୍ବାର କରିଡରରେ ପାଓ୍ବାରଫୁଲ ଆଇଏଏସ ଭାବେ ଉଭା ହୋଇଥିଲେ। ଏନେଇ ଭାଜପା ତାଙ୍କୁ ଲଗାତାର ଟାର୍ଗେଟ କରୁଥିଲା।
ବର୍ତ୍ତମାନ ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି କି, ସୁଜାତାଙ୍କ ଉପରେ ରାଜ୍ୟ ସରକାର ବିଶ୍ୱାସ କରିବେ ନା ସେ କୋଣଠେସା ହୋଇ ରହିଯିବେ। ଏଥିସହ ନୂଆ ପ୍ରଶାସନିକ ବ୍ୟୁରୋକ୍ରାଟଙ୍କ ତାଙ୍କ ପ୍ରତି ବ୍ୟବହାର କ’ଣ ରହିବ। ଯଦି ସେ ମୋହନ ସରକାରରେ ରହୁଛନ୍ତି ତେବେ ସେ କେତେଦିନ ଯାଏ ଦାୟିତ୍ୱ ସମ୍ଭାଳିବେ। ସବୁଠାରୁ ବଡ଼ କଥା ହେଉଛି ରାଜନୈତିକ ବିଶାରଦମାନେ ଅନୁମାନ କରୁଛନ୍ତି କି, ହୁଏତ ସେ ଭିଆରଏସ ନେଇପାରନ୍ତି।
ଆଲୋଚନା ହେଉଛି କି, ମୋହନ ସରକାର କ’ଣ ତାଙ୍କ ଉପରେ ସେତିକି ଭରସା ରଖିପାରିବେ? ବିଜେଡି ସରକାରରେ ପ୍ରଭାବଶାଳୀ ଅଧିକାରୀ ଥିବା ସୁଜାତା ବର୍ତ୍ତମାନ ଭାଜପା ସରକାରଙ୍କ ଅଧୀନରେ କାମ କରିବେ। କିନ୍ତୁ ସରକାରଙ୍କ ଅଧିନରେ ରହି କାମ କରିବା ତାଙ୍କ ପାଇଁ ଚ୍ୟାଲେଞ୍ଜିଂ ହୋଇପାରେ। ସେହିପରି ତାଙ୍କ ଉପରେ ବିଶ୍ୱସନୀୟତା ରଖିବା ମୋହନ ସରକାରଙ୍କ ପାଇଁ ମଧ୍ୟ ଅଡୁଆ ସାଜିପାରେ। କାରଣ ସୁଜାତା ପ୍ରଶାସନିକ ସ୍ତରରେ ରହି ସରକାରୀ କଳ ପାଇଁ କାର୍ଯ୍ୟ କରୁଥିଲେ। ଯାହାକୁ ନେଇ ଭାଜପା ଅଭିଯୋଗ ଆଣିଥିଲା। ତେଣୁ ଏବେ ତାଙ୍କୁ ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ଭାବେ ଦାୟିତ୍ୱ ଦେବା ଏବଂ ସରକାରଙ୍କ ଦରକାରୀ ଫାଇଲ ଟେକିଦେବା ସମୟରେ ମୋହନ ସରକାର ଦୁଇଥର ଚିନ୍ତା କରିବେ ନିଶ୍ଚୟ।
ବିଜେଡି କ୍ଷମତାଚ୍ୟୁତ ହେବା ପରେ ପାଣ୍ଡିଆନ ପ୍ରତ୍ୟକ୍ଷ ରାଜନୀତିରୁ ଅବସର ନେଇଥିଲେ। ହେଲେ ଏବେ ବି ଚର୍ଚ୍ଚା ହେଉଛି କି, ସେ ପରଦା ପଛରେ ରହି ଦଳର କାର୍ଯ୍ୟ ସମ୍ଭାଳୁଛନ୍ତି। ଏହିକ୍ରମରେ ସୁଜାତାଙ୍କୁ ଏପରି ବଡ଼ ଦାୟିତ୍ୱ ଦେବା ଭାଜପା ପାଇଁ ଅଡୁଆ ସାଜିପାରେ। ନୂଆ ସରକାର ଆସିବା ପରେ ପ୍ରଶାସନିକସ୍ତରରେ ବଡ଼ ଅଦଳବଦଳ ହୋଇଛି। କୁହାଯାଉଛି ଯେ, ଅନେକ ପ୍ରଶାସନିକ ଅଧିକାରୀ ଏବେ ବି ବିଜେଡି ସହ ଲିଙ୍କ୍ ରେ ଅଛନ୍ତି। ଯଦି ସୁଜାତା ପ୍ରଶାସନିକ ପଦରେ ଥାଇ ଏବେ ବିଜେଡିକୁ ସମର୍ଥନ କରନ୍ତି ତେବେ ଭାଜପା ସରକାର ପାଇଁ ଅସୁବିଧା ହୋଇପାରେ। ତେବେ ଦେଖିବାକୁ ବାକି ରହିଲା, ଭାଜପା ସରକାର ସୁଜାତାଙ୍କୁ ଗ୍ରହଣ କରୁଛନ୍ତି ନା କୋଣଠେସା କରୁଛନ୍ତି!