ଭୁବନେଶ୍ବର ,୨୩ା୧୨ (ଭୟେସ ଅଫ୍ ଇଣ୍ଡିଆ) :-ରାଜ୍ୟ ସରକାରଙ୍କ ନୂଆ ଓ ଯୁବ ଓଡିଶା-ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ସାମାଜିକ ସଚେତନତା ବର୍ଗରେ ନିଶା ନିବାରଣ ସମ୍ପର୍କିତ ଏକ ପଥପ୍ରାନ୍ତ ନାଟକ ‘ସପନ ମୋ ହଜିଗଲା ସହର ତଳେ’ ବଡମ୍ବା ମୋହନ ସୁବୁଦ୍ଧି ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଦ୍ୱାରା ସ୍ଥାନୀୟ ଗୁଣ୍ଡିଚାବାଡ଼ି ସାଇ ଛକ ନିକଟରେ ମଞ୍ଚସ୍ତ ହୋଇଯାଇଛି। ଏହି ଅବସରରେ ମହାବିଦ୍ୟାଳୟର ଅଧ୍ୟକ୍ଷା ତଥା କାର୍ଯ୍ୟକ୍ରମର ମୁଖ୍ୟ ସଂଗଠକ ଡଃ ଶୁଚିସ୍ମିତା ମହାନ୍ତିଙ୍କ ତତ୍ୱାବଧାନରେ ଏକ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ସଭ୍ୟା ଜୟଶ୍ରୀ ବରାଳ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମର ନିର୍ବାହୀ ତଥା ଅର୍ଥନୀତି ବିଭାଗର ମୁଖ୍ୟ ବିଶ୍ୱନାଥ ପଟ୍ଟନାୟକ ଓ ନୋଡାଲ ଅଧିକାରୀ ତଥା ଓଡ଼ିଆ ବିଭାଗୀୟ ମୁଖ୍ୟ ସରିତା ସାହୁ ଯୋଗ ଦେଇ ନିଶା ସେବନର କୁପରିଣାମ, ଉପୁଜୁଥିବା ସ୍ୱାସ୍ଥ୍ୟ ସମସ୍ୟା, ସାମାଜିକ ସ୍ଥରରେ ସୃଷ୍ଟି ହେଉଥିବା ବିପର୍ଯ୍ୟୟ ପାଇଁ ସାମୁହିକ ସଚେତନତାର ଆବଶ୍ୟକତା ରହିଥିବା କହିଥିଲେ।ଅଧ୍ୟାପିକା ସରିତା ସାହୁଙ୍କ ଦ୍ୱାରା ରଚିତ ଏବଂ ମହାବିଦ୍ୟାଳୟର କର୍ମଚାରୀ ଲଛମନ ସାହୁଙ୍କ ନିର୍ଦ୍ଦେଶିତ ନାଟକ ‘ସପନ ମୋ ହଜିଗଲା ସହର ତଳେ’ରେ ଆଇଏଏସ ହେବାର ସ୍ୱପ୍ନ ଦେଖୁଥିବା ଜଣେ ଯୁବକ କିଭଳି ନିଶାଗ୍ରସ୍ତ ହେଉଛି ଓ ପରେ ନିଜର ଶିକ୍ଷକ ଶିକ୍ଷୟତ୍ରୀ, ବନ୍ଧୁ ଓ ବାନ୍ଧବୀଙ୍କ ପ୍ରଚେଷ୍ଟାରେ ସେଥିରୁ ମୁକୁଳି ପାରିଛି, ତାହା ନିଚ୍ଛକ ଭାବେ ଅଭିନୀତ ହୋଇଛି। ବିଶେଷ କରି ଗ୍ରାମ୍ୟ ପରିବେଶରେ ଭାଗବତ ଚର୍ଚ୍ଚା, ମିଲେଟ ସମ୍ପର୍କୀୟ କଥାବାର୍ତ୍ତା ଏବଂ ପରିବର୍ତ୍ତିତ ଜଳବାୟୁ ଉପଯୋଗୀ କୃଷି ସହ ଖଞ୍ଜଣୀ ଭଜନ ଦର୍ଶକଙ୍କୁ ବିମୋହିତ କରିଥିଲା।ଏଥିରେ ଅଭିଷେକ ମହାରଣା, ସଙ୍ଗୀତା ବସ୍ତି, ଅଭିଷେକ ମହାନ୍ତି, ବିରଂଚି ନାରାୟଣ ରଣା, ସୌମ୍ୟ ରଞ୍ଜନ ସାହୁ, ଶିବୁ ସାହୁ ଓ ଧୀରଜ ସାମନ୍ତଙ୍କ ନିଖୁଣ ଅଭିନୟ ଏବଂ ଆୟୁଷି ଜେନାଙ୍କ ମଧୁର କଣ୍ଠ ସଂଗୀତ ଦର୍ଶକଙ୍କ ଦ୍ୱାରା ଉଚ୍ଚ ପ୍ରସଂଶିତ ହୋଇଥିଲା। ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପିକା, ଅଧ୍ୟାପକ, କର୍ମଚାରୀ ଓ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।

Leave a reply

  • Default Comments (0)
  • Facebook Comments

Your email address will not be published. Required fields are marked *